ତିରୁଣା ପଂଚାୟତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମ ନଥିବାରୁ ଉତେଜନା

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀମାନେ ଶନିବାର ଗ୍ରାମସଭା ଚାଲିଥିବା ବେଳେ ପଂଚାୟତ କାର୍ଯ୍ୟାଳୟକୁ ତାଲା ପକାଇଥିଲେ। ତାଲା ପକାଇବା ଦ୍ୱାରା କାର୍ଯ୍ୟାଳୟ ପରିସରରେ କିଛି ସମୟ ଉତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଥାନାଧିକାରୀ ଦେବାଶୀଷ ପଣ୍ଡା ପହଂଚି ବୁଝାବୁଝି କରିବା ପରେ ତାଲା ଖୋଲାଯାଇଥିଲେ ମଧ୍ୟ କାର୍ଯ୍ୟାଳୟ ପରିସରରେ ଉତେଜନା ଦେଖା ଦେଇଥିଲା। ପରେ ଏବିଡିଓ ଦିନେଶ ରାୟ ପହଂଚି ଯେଉଁମାନଙ୍କର ନାମ ଚୁଡାନ୍ତ ତାଲିକାରୁ ବାଦ ପଡିଛି ସେମାନେ ଜିଲା ପରିଷଦ କାର୍ଯ୍ୟାଳୟ,ଜଗତସିଂହପୁରରେ ଅଭିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୂଚନାନୁସାରେ ପଂଚାୟତ ସମିତି କାର୍ଯ୍ୟାଳୟ ପତ୍ରସଂଖ୍ୟା-୨୦୮୧ ତା ୨୯ ଜୁନ ୨୦୨୬ରେ ବ୍ଳକରେ ଥିବା ୧୬ଟି ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରେ ବ୍ଲକର ୪ ହଜାର ୮୫ ଜଣଙ୍କର ନାମ ରହିଥିଲା। ଏହି ତାଲିକା ପ୍ରକାଶ ପାଇବା ପୂର୍ବରୁ ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଅନେକ ଥର ଉକ୍ତ ଆବାସ ଯୋଜନା ପାଇବା ପାଇଁ ହିତାଧିକାରୀ ଯୋଗ୍ୟ କି ନୁହେଁ ତାହାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଡ୍ରାଫ୍ଟ ଲିଷ୍ଟ ପ୍ରକାଶ ପାଇବା ପରେ ଯାହାର ଆପତି ଅଭିଯୋଗ ଅଛି ୧୫ ଦିନ ମଧ୍ୟରେ ଅର୍ଥାତ ୧୩ ଜୁଲାଇ ୨୦୨୬ ମଧ୍ୟରେ ହିତାଧିକାରୀମାନେ ନିଜର ପଂଚାୟତ କାର୍ଯ୍ୟାଳୟ ଅଥବା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିବାକୁ ଅବଗତି କରାଇ ଦିଆଯାଇଥିଲା। ଏହାପରେ ଗ୍ରାମସଭା ମାଧ୍ୟମରେ ହିତାଧିକାରୀଙ୍କ ନାମ ଘୋଷାଣା କରାଯିବା ବୋଲି ଦର୍ଶାଯାଇଥିଲା। ଯାହାକୁ ନେଇ ବ୍ଲକର ୮ଟି ପଂଚାୟତରେ ଶୁକ୍ରବାର ଗ୍ରାମସଭା କରାଯାଇଥିବା ବେଳେ ଶନିବାର ଅନ୍ୟ ୮ଟି ପଂଚାୟତରେ ଗ୍ରାମସଭା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ତିରୁଣା ପଂଚାୟତରେ ଆୟୋଜିତ ଗ୍ରାମସଭାରେ ଗ୍ରାମସଭା ଆରମ୍ଭ ହେବା ମାତ୍ର ଯେଉଁ ହିତାଧିକାରୀଙ୍କର ନାମ ଡ୍ରାଫ୍ଟ ତାଲିକାରୁ ବାଦ ପଡିଥିଲା। ସେମାନେ ଉକ୍ତ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରି ପଂଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିଲେ। ଯାହାଫଳରେ ଗ୍ରାମସଭାର ନୋଡାଲ ଅଧିକାରୀ କନିଷ୍ଠ ଯନ୍ତ୍ରୀ କାଦମ୍ବିନୀ ପ୍ରଧାନ,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଏଡିଇଓ ପ୍ରାୟ ଏକ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ମଧ୍ୟରେ ବନ୍ଦ ଗୃହରେ ରହିଥିଲେ। ଅନ୍ୟପଟରେ ଏହି ପଂଚାୟତରେ ଡ୍ରାଫ୍ଟ ତାଲିକାରେ ୨୫୨ଜଣ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଥିବା ବେଳେ ୧୦୨ଜଣଙ୍କ ନାମ ଏକ ପ୍ରକାର ଚୂଡାନ୍ତ ହୋଇଥିବା ଗ୍ରାମସଭାରେ ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ