‘ଦେବଦୀପ ଫାଉଣ୍ଡେସନ’ ପକ୍ଷରୁ ଅସହାୟଙ୍କୁ ରେନକୋଟ ପ୍ରଦାନ

​ବାଲେଶ୍ୱର, (ଓ୍ବାଇଏନଏସ): “ବର୍ଷା ଆଉ ଅସୁବିଧା ନୁହେଁ, ବର୍ଷା ଏବେ ହେବ ସାଥୀ”—ଏହି ବାର୍ତ୍ତା ନେଇ ବାଲେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଦେବଦୀପ ଫାଉଣ୍ଡେସନ’ ପକ୍ଷରୁ ଆଜି ଶୁଭାରମ୍ଭ ହୋଇଛି ବର୍ଷା ସୁରକ୍ଷା ଅଭିଯାନ ‘ବର୍ଷାର ସାଥୀ’। ବର୍ଷାଦିନରେ ଖୋଲା ଆକାଶ ତଳେ ରହୁଥିବା ନିରାଶ୍ରୟ ଓ ଦୁଃସ୍ଥ ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆଜି ବାଲେଶ୍ୱର ସ୍ଥିତ ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦ ଜଣ ଅସହାୟ ବ୍ୟକ୍ତିଙ୍କୁ ରେନକୋଟ ପ୍ରଦାନ କରି ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଦେବଦୀପ ଫାଉଣ୍ଡେସନର ସଭାପତି ଶ୍ରୀ ଧିରେନ ନାୟକ କହିଛନ୍ତି ଯେ, ସମାଜର ଗରିବ, ଅଭାବୀ, ରିକ୍ସା ଚାଳକ, ଶ୍ରମିକ, ଚାଷୀ ଓ ଦିନ ମଜୁରିଆମାନେ ଯେପରି ବର୍ଷା ଦିନରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଫାଉଣ୍ଡେସନ ପକ୍ଷରୁ ଏକ ବୃହତ୍ ଯୋଜନା ହାତକୁ ନିଆଯାଇଛି। ସୂଚନାଯୋଗ୍ୟ ଯେ, ସଂଗଠନ ପକ୍ଷରୁ ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟାୟ କ୍ରମେ ମୋଟ ୧୫ ହଜାର ଲୋକଙ୍କୁ ରେନକୋଟ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ସହରର ୩୧ଟି ୱାର୍ଡ ଓ ସଦର ବ୍ଲକର ୩୭ଟି ପଞ୍ଚାୟତରେ ଏହି ବଣ୍ଟନ କାର୍ଯ୍ୟ ଚାଲିବ।
​ଏହା କୌଣସି ପ୍ରଚାରଧର୍ମୀ କିମ୍ବା ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ କେବଳ ଅସହାୟଙ୍କ ମୁହଁରେ ହସ ଫୁଟାଇବା ହିଁ ଫାଉଣ୍ଡେସନର ଏକମାତ୍ର ଲକ୍ଷ୍ୟ ବୋଲି ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି। ଏହି ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ବାଲେଶ୍ୱରବାସୀଙ୍କ ସହଯୋଗ କାମନା କରିଛନ୍ତି ଫାଉଣ୍ଡେସନ ସଭାପତି।
​ଉକ୍ତ କାର୍ଯ୍ୟକ୍ରମରେ ବିଭୁଦତ୍ତ ପରିଡା, ଯୋଗେନ୍ଦ୍ର ମାଇତି, ଅଦ୍ୟା ଆଶୁତୋଷ, ହୃଷିକେଶ ବେହେରା, ଦୀପକ କୁମାର ଜେନା ଓ ତପନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ