ଜଣେ ବୃଦ୍ଧାଙ୍କ ଯୋଗୁ ଛତାବର ଗାଁ ପାଇଛି ରାଜସ୍ଵ ଗ୍ରାମର ମାନ୍ୟତା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଲକ୍ ଅଧୀନ ବେଣିପଲ୍ଲୀ ପଂଚାୟତ ଅଧୀନରେ ରହିଛି ଛତାବର ଗାଁ। ଗାଁ ଟି ବେଲଗୁଣ୍ଠା ତହସିଲ ଗୋବରା ରାଜସ୍ବ ସର୍କଲ ଅନ୍ତର୍ଗତ ଏକ ରାଜସ୍ବ ଗ୍ରାମ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଗ୍ରାମରେ ଜଣେ ମାତ୍ର ବୃଦ୍ଧା ବାସ କରୁଛନ୍ତି। ସୂଚନା ପ୍ରକାରେ ଛତାବର ଗ୍ରାମରେ ପୂର୍ବରୁ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ପରିବାର ରହି ଆସୁଥିଲେ। ଗ୍ରାମରେ ଲକ୍ଷ୍ମୀକାନ୍ତଙ୍କ ବହୁ ଚାଷ ଜମି, ଆମ୍ବ,ନଡ଼ିଆ ବଗିଚା ଥିଲା l ସେଠାରେ କାମ କରିବା ପାଇଁ ସେ ପାଖ ଗାଁ ରୁ କିଛି ଲୋକଙ୍କୁ ଆଣି ଗ୍ରାମରେ ରଖିଥିଲେ। ଗ୍ରାମରେ ଗତ କିଛି ବର୍ଷ ପୁର୍ବେ ପ୍ରାୟ ୫/୬ଟି ପରିବାରର ୧୫ରୁ ଅଧିକ ଲୋକ ରହି ଆସୁଥିଲେ। ଗାଁ ନିକଟରେ ବଡ ନଦୀ ବହି ଯାଇଥିବା ବେଳେ ଏକର ଏକର ଚାଷ ଜମି ରହିଥିଲା। ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ ଲୋକେ। ଲୋକଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷ୍ମୀକାନ୍ତଙ୍କ ଦେହାନ୍ତ ପରେ ତାଙ୍କର ତିନି ପୁଅ ବ୍ୟବସାୟ କରିବା ପାଇଁ ବାହାରକୁ ଚାଲି ଯାଇଥିଲେ। କାଳକ୍ରମେ ଲୋକଙ୍କ ଭଲ ରୋଜଗାର ହେଲାନି। କାମଧନ୍ଦା ମିଳିଲାନି।ପିଲାଙ୍କ ପାଠ ପଢାରେ ଅସୁବିଧା ହେଲା। ଆଧୁନିକତାର ସହ ତାଳ ଦେଇ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଏଣୁ ଜୀବିକା ସନ୍ଧାନରେ କେହି କେହି ଗାଁ ଛାଡ଼ିବାରେ ଲାଗିଲେ। ପରେ ସହରର ଚାକଚକ୍ୟ ପରିବେଶ ପାଇଁ ଆଉ ବାକି ଲୋକ ଗାଁ ଛାଡ଼ିଦେଲେ। ଗାଁ ରେ ଏକା ରହିଗଲେ ସ୍ବର୍ଗତ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ବୃଦ୍ଧା ପତ୍ନୀ ମିରାବାଇ ପଣ୍ଡା। ବର୍ତ୍ତମାନ ଛତାବର ଗାଁରେ ମୌଳିକ ସୁବିଧା ରହିଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ବିଦ୍ୟୁତ ଓ ପିଇବା ପାଣି ଭଳି ସବୁକିଛିର ବ୍ୟବସ୍ଥା ରହିଛି ଗାଁରେ। ବର୍ତ୍ତମାନ ମାତ୍ର ୭୬ ବର୍ଷୀୟା ମୀରାବାଇଙ୍କୁ ବାଦ୍ ଦେଲେ ଗୋଟିଏ ବି ଲୋକ ନାହାନ୍ତି ଗାଁରେ। ଆଖପାଖ ଗାଁରେ ଲୋକ ରହୁଥିଲେ ହେଁ ଛତାବର ଏବେ ନିର୍ଜନ ପାଲଟିଛି। ପ୍ରାୟ ଶହେ ବର୍ଷ ତଳର ଛତାବର ଗାଁରେ ସୂଚନା ଫଳକ ରହିଛି। ଗାଁକୁ ଲମ୍ବିଥିବା ରାସ୍ତାରେ ସଡ଼କ ଓ ଗାଁ ନାମ ଲେଖାଥିବା ଫଳକ ରହିଛି। ହେଲେ ଛତାବର ଗାଁରେ ଆଉ ଆଗ ଭଳି କୋଳାହଳ ନାହିଁ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଷଢଙ୍ଗୀପଲ୍ଲୀ ଠାରୁ ଛତlବର କୁ ପକ୍କା ରାସ୍ତା, ପିଇବା ପାଣି ପାଇଁ ନଳକୂପ ସମେତ ସୌର ଯନ୍ତ୍ର ଚାଳିତ ପାନୀୟ ଜଳ ଯୋଗଣ, ବିଜୁଳି ଆଲୁଅ ଭଳି ବିଭିନ୍ନ ସୁବିଧା ରହିଛି। ହେଲେ ଏସବୁକୁ ବ୍ୟବହାର କରିବାକୁ ଗାଁରେ ମିରାବାଇଙ୍କୁ ଛାଡିଦେଲେ ଆଉ କେହି ଲୋକ ନାହାନ୍ତି। କାହା ଘରେ ତାଲା ପଡ଼ିଛି ତ, ଆଉ କାହାର ଘର ପ୍ରାୟ ଭାଙ୍ଗିରୁଜି ଗଲାଣି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ସ୍ବରୂପ ଗାଁ ଛାଡ଼ି ସହରାଭିମୁଖୀ ହେବାକୁ ଏଥିପାଇଁ କିଛି ବୁଦ୍ଧିଜୀବୀ ଦାୟୀ କରିଛନ୍ତି। ବର୍ତମାନ ମିରାବାଇଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହ ରାସନ କାର୍ଡ ମିଳିଛି । ହେଲେ ସେ ରହୁଥିବା ଘରଟି ଭଗ୍ନ ଅବସ୍ଥାରେ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ଦେବାକୁ ସେ ଦାବି କରିଛନ୍ତି। ଏ ସଂପର୍କରେ ବେଣିପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକଙ୍କୁ ପଚାରିବାରୁ ଆବାସ ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିରାବାଇଙ୍କ ସର୍ଭେ ହୋଇଛି। ନୁଆ ଟାର୍ଗେଟ ଆସିଲେ ତାଙ୍କୁ ମଧ୍ୟ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ