ପ୍ରଶାସନ ଶୁଣିଲାନି : କେନାଲ ତିଆରି କଲେ ଲୋକେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅଧୀନରେ ଥିବା ତେଲେଙ୍ଗାପଦା, ଡେଙ୍ଗିଲି ଓ କୁଡ଼ିକିମା ଗ୍ରାମରେ ୨୦୦ ଏକର ଚାଷଜମି ଜଳସେଚନ କରିବା ପାଇଁ ଗତ 12 ବର୍ଷ ତଳେ ଗଜପତି ଜିଲ୍ଲା ଓଟିଇଏଲପି ଯୋଜନା ମାଧ୍ୟମରେ ଏକ ଚେକଡ୍ୟାମ ନିର୍ମାଣ କରାଯାଇଥିଲା. କିନ୍ତୁ ଜଳସେଚନ କରିବା ପାଇଁ କେନାଲ ନିର୍ମାଣ କରାଯାଇନଥିଲା. ଗତ 12 ବର୍ଷ ଧରି ଉପରୋକ୍ତ 3 ଗୋଟି ଗ୍ରାମବାସୀ ବାରମ୍ବାର ବହୁ ଦାବି ନିବେଦନ ସତ୍ୱେ ପ୍ରଶାସନ କେନାଲ ନିର୍ମାଣ କଲେ ନାହିଁ. ପରିଶେଷରେ ଏହି 3 ଗୋଟି ଗ୍ରାମର ଲୋକେ ଏକତ୍ରିତ ହୋଇ ନିଜ ଖର୍ଚ୍ଚରେ ଶ୍ରମ ଦାନ କରି ପ୍ରାୟ 2 କିମି ଲମ୍ବା କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି. ବର୍ତ୍ତମାନ ସୁଦ୍ଧା 80 ଭାଗ କେନାଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇଛି. ଗତ 1 ମାସ ଧରି ଏହି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି. କେନାଲ ନିର୍ମାଣ କାର୍ଯ୍ୟ ଆଗାମୀ 10 ଦିନ ମଧ୍ୟରେ ସମ୍ପୂର୍ଣ ହେବ ବୋଲି ଗ୍ରାମବାସୀମାନେ ପ୍ରକାଶ କରି କହିଛନ୍ତି ବର୍ତ୍ତମାନ 3 ଗୋଟି ଗ୍ରାମର 200 ଏକରରୁ ଉର୍ଦ୍ଧ ଚାଷ ଜମି ଯାହା ଗତ 12 ବର୍ଷ ଧରି ପଡିଆ ପଡିଥିଲା ସେହି ଜମି ଗୁଡିକରେ ବର୍ତ୍ତମାନ କେନାଲ ନିର୍ମାଣ ହେବା ପରେ ଜଳସେଚନ ଦ୍ୱାରା ଚାଷ କାର୍ଯ୍ୟ ହୋଇପାରିବ।


