ଅଣାଛକ -ପନ୍ଦାଡୋ କେନାଲ ରାସ୍ତା ପାଲଟିଛି ମରଣଯନ୍ତା

ହାଟଡିହି (ଓ୍ବାଇଏନଏସ): ଦୀର୍ଘଦିନ ଧରି ମରାମତି ଅଭାବରୁ ଅଣାଛକ -ପନ୍ଦାଡୋ କେନାଲ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା, ଗର୍ତ୍ତ ଓ ଅସମତଳ ଅବସ୍ଥା ଯୋଗୁଁ ଯାତାୟାତ କରିବା ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡିଛି। ବିଶେଷକରି ବର୍ଷା ସମୟରେ ରାସ୍ତାର ଅବସ୍ଥା ଆହୁରି ସଙ୍ଗୀନ ହୋଇଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ଏହି ରାସ୍ତା ଉପରେ ତରାଗଡିଆ, କପୁଣ୍ଡି, ଖାଣ୍ଟପଦା, କୁଣ୍ଡିସାହି, ନାହାଳିଆ, ପନ୍ଦାଡୋ, ଖଇରିମରା, ତେନ୍ତୁଳିପଦି ସମେତ ଅନେକ ଗ୍ରାମର ଲୋକମାନେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲ ଯାତାୟାତଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ରାସ୍ତା ଏକ ପ୍ରମୁଖ ମାର୍ଗ ଭାବେ ବ୍ୟବହୃତ ହୋଇଆସୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତାଟି ଜଳସମ୍ପଦ ବିଭାଗ ଅଧୀନରେ ରହିଛି। କିନ୍ତୁ ଦୀର୍ଘଦିନ ଧରି ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ନହେବାରୁ ଏହାର ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ମଧ୍ୟ ସମସ୍ୟା ଉପୁଜୁଛି। ଏନେଇ ସ୍ଥାନୀୟ ଲୋକମାନେ ବହୁବାର ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ତେଣୁ ଜନସାଧାରଣଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାର ମରାମତି କରାଯିବା ସହ ଏହାର ସ୍ଥାୟୀ ଉନ୍ନତିକରଣ କରାଯିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି କେବେ ଶୁଣିବେ ପ୍ରଶାସନ, କେବେ ସୁଧୁରିବ ଅଣା -ପନ୍ଦାଡୋ କେନାଲ ରାସ୍ତାର ଦୁର୍ଦ୍ଦଶା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ