ପଣସ ଚାଷୀକୁ ମିଳୁ ନାହିଁ ଉଚିତ ଦର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ଅମଳ ହେଉଥିବା ପଣସ ଅତ୍ୟନ୍ତ ସ୍ୱାଦିଷ୍ଟ ଓ ଉତ୍ତମ ଧରଣର. ଏହାର ଚାହିଦା ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ବିଶେଷ ଭାବେ ରହିଥିବାରୁ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଠାକାର ଦଲାଲମାନେ ଗଜପତିରେ ଡେରା ପକାଇ ନାମକୁ ମାତ୍ର ଦରରେ ପଣସ କିଣି ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନାକୁ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଉଛନ୍ତି. ଘଟଣାରୁ ପ୍ରକାଶଯେ, ଏହି ଜିଲ୍ଲାରେ ଅନୁକୂଳ ଯୁକ୍ତ ଜଳବାୟୁ ଓ ମାଟିର ଆର୍ଦ୍ରତା ପଣସ ଉତ୍ପାଦନ କ୍ଷେତ୍ରରେ ଉପଯୁକ୍ତ. ତେଣୁ ଏହି ଜିଲ୍ଲାରେ ଉକୃଷ୍ଟ ଧରଣର ପଣସ ଉତ୍ପାଦିତ ହୋଇଥାଏ. ଗଜପତି ଜିଲ୍ଲାର ମୋହନା, ନୂଆଗଡ଼, ରା.ଉଦୟଗିରି, ଗୁମ୍ମା, ରାୟଗଡ଼ ଆଦି 5 ଗୋଟି ବ୍ଲକରେ ପଣସ ବହୁଳ ପରିମାଣରେ ଉତ୍ପାଦିତ ହୋଇଥାଏ. ଉଭୟ ଜଙ୍ଗଲ ଓ ଘରୋଇ ଜମିରେ ପ୍ରଚୁର ପରିମାଣରେ ପଣସ ଅମଳ ହୁଏ । ବିଶେଷକରି ଆର. ଉଦୟଗିରି ଓ ଗୁମ୍ମା ବ୍ଲକରେ ଜିଲ୍ଲାର ସବୁଠାରୁ ଅଧିକ ପରିମାଣର ଏବଂ ଉତ୍ତମ ଧରଣର ସ୍ୱାଦିଷ୍ଟ ପଣସ ଆଦାୟ ହୋଇଥାଏ. ହେଲେ, ଏହି ପଣସର ଉଚିତ ବଜାର ମୂଲ୍ୟ ମିଳୁ ନଥିବାରୁ ଏଠାକାର ପଣସ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଗଜପତି ଜିଲ୍ଲାର ସ୍ୱାଦିଷ୍ଟ ପଣସର ଚାହିଦା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ବିଶେଷ ଭାବେ ରହିଛି. ତେଣୁ ସେଠାକାର ଦଲାଲମାନେ ଆସି ବହୁ କମ୍ ଦରରେ କଞ୍ଚା ପଣସ କିଣି ସେହି ଅଞ୍ଚଳକୁ ରପ୍ତାନୀ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି. ହେଲେ ଗଜପତି ଜିଲ୍ଲାରୁ ପଣସ ଉତ୍ପାଦନ କରୁଥିବା ଚାଷୀ ନାମକୁ ମାତ୍ର ଦରରେ କିଲୋ ପିଛା 10 ରୁ 20 ଟଙ୍କାରେ ଏହି ଦଲାଲକୁ ବିକ୍ରି କରି ପରିଶ୍ରମ ବିନା କୌଣସି ଭାବେ ଉପକୃତ ହୋଇପାରୁନାହାନ୍ତି. ଗଜପତି ଜିଲ୍ଲାରେ ଅଧିକ ଅମଳ ହେଉଥିବା ପଣସର ଉଚିତ ବଜାର ଦର ପ୍ରଶାସନ ନିର୍ଣ୍ଣୟ କରିବା ସହ ବାହାରୁ ରାଜ୍ୟରୁ ଆସି ଗଜପତିର ପଣସ ଚାଷୀଙ୍କୁ ଠକି ନାମକୁ ମାତ୍ର ଦରରେ ପଣସ ରପ୍ତାନୀ କରୁଥିବା ଦଲାଲମାନଙ୍କ ବିରୁଦ୍ଧରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପଣସ ଚାଷୀଙ୍କୁ ପଣସ ବିକ୍ରିରେ ଉଚିତ ଦର ପ୍ରଦାନ କରିବା ଭଳି ବ୍ୟବସ୍ଥା କରାଗଲେ ଗଜପତିର ପଣସ ଚାଷୀ ବେଶ ଉପକୃତ ହୋଇପାରିବେ।


