ଆସୁଛନ୍ତି ମହାମାୟୀ ମା’କାଳୀ, ଆସିକାରେ ମୂର୍ତ୍ତି ଗଢାରେ ନିମଗ୍ନ କାରିଗର

ଆସିକା ତା ୧୩/୧୦ (ୱାଇଏନ୍‍ଏସ୍‍) ଆଲୋକର ପର୍ବ ଦୀପାବଳୀ ଅବସରରେ ଆଉମାତ୍ର ଦିନ କେଇଟା ପରେ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହେବ ମହାମାୟୀ ମା’କାଳୀଙ୍କ ପୂଜା। ଏଥିପାଇଁ ସହରଠୁ ଆରମ୍ଭ କରି ଗାଁ ଗହଳି ସବୁଠି ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଥିବା ବେଳେ ମୂର୍ତ୍ତି କାରିଗର ମାନେବି ଚଳଚଞ୍ଚଳ ହୋଇ ଉଠିଛନ୍ତି। ଆଉ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମୂର୍ତ୍ତି ନିର୍ମାଣ କାମ ଜୋରସୋର ଚାଲିଥିବା ଲକ୍ଷ୍ୟ କରାଯାଇଛି। ସେଥିପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢାରେ ମାତି ଗଲେଣି । ମୂର୍ତ୍ତି ନିର୍ମାଣରେ ପରିଶ୍ରମ ତୁଳନାରେ ଲାଭ ମିଳୁନଥିଲେ ମଧ୍ୟ ମୂର୍ତ୍ତି କାରିଗରମାନେ ଦେଖାଇ ଚାଲିଛନ୍ତି ନିଜର ହାତର ଯାଦୁଗରୀ । ଆସିକା ବ୍ଳକ ଅନ୍ତର୍ଗତ ଘଟକୁରୀ ଗ୍ରାମର ଅଭିଜ୍ଞ ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ଚିନିଶିଳ୍ପ ନୂଆଗାଁ କାଳୀପୂଜା ପାଇଁ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ପ୍ରାୟ ୪୧ବର୍ଷ ବୟସ୍କ ଏହି ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ଏବେ ବି ଚଳଚଞ୍ଚଳ । ତାଙ୍କ ହାତଗଢା ମୂର୍ତ୍ତିର ଚାହିଦା ରହିଛି । ନିଜ ମୂର୍ତ୍ତି ତିଆରି କାର୍ଯ୍ୟକୁ ନେଇ ଶିଳ୍ପୀ ଅରବିନ୍ଦ ବିଶ୍ୱାଳ କୁହନ୍ତି ପୂଜାଋତୁ ଆସିଲେ ବେପାର ଆସେ ତେବେ ଏହା କେବଳ ଋତୁକାଳୀନ ବେପାର ହୋଇଥିବାରୁ ଅନ୍ୟ ସମୟରେ ଭିନ୍ନ କିଛି ଜୀବନଜୀବିକା ଉପରେ ନିର୍ଭର କରିବାକୁ ପଡେ କିନ୍ତୁ ଏହି ବୃତ୍ତି ଦୀର୍ଘବର୍ଷ ହେଲା ଚାଲି ଆସିଥିବାରୁ ଛାଡିହେଉ ନାହିଁ । ଆଜିର ମହାଙ୍ଗା ଯୁଗରେ ମୂର୍ତ୍ତି କାମ କରି ଚଳି ହେଉନଥିବା ବେଳେ ସଠିକ୍ ପାରିଶ୍ରମିକ ମଧ୍ୟ ମିଳୁ ନାହିଁ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମା’କାଳୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି । ଏପରିକି କାରିଗର ମାନେ ୨୪ଘଣ୍ଟା ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ ହେବାକୁ ଥିବା ମା’କାଳୀଙ୍କ ପୂଜା ପାଇଁ ଘଟକୁରୀ ଗ୍ରାମର ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ମୂର୍ତ୍ତି ଗଢା କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳୁଛି । ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ନିଜର କଳାର ଦକ୍ଷତା ବଳରେ ମାଟି ଓ ପଥରକୁ ଜୀବନ୍ତ କରିଦେଇଥାନ୍ତି । ମୂର୍ତ୍ତି ନିମନ୍ତେ ଭକ୍ତଙ୍କ ଶ୍ରଦ୍ଧା ଓ ପ୍ରଶଂସାର ଦୁଇପଦ ଶୁଣିଲେ ସେ ନିଜର କଳାକୁ ଅଧିକ ଜୀବନ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଭକ୍ତଙ୍କ ଏହି ପ୍ରଶଂସା ଟିକକ ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳଙ୍କ ପରିଶ୍ରମ ଓ କଷ୍ଟକୁ ଦୂରେଇ ଦେଇଥାଏ । ଘଟକୁରୀ ଗ୍ରାମର ଅଭିଜ୍ଞ ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ଜଣେ ଉତ୍ତମ କାରିଗର ଭାବେ ନିଜକୁ ଗଢି ତୋଳିବାରେ ସକ୍ଷମ ହୋଇଛନ୍ତି । ଗତ କିଛିବର୍ଷ ହେଲା ଚିକିଟା ମାଟିର ଅଭାବ ମୂର୍ତ୍ତିଗଢାରେ ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ବର୍ତ୍ତମାନ ସୁଦ୍ଧା ଚିକିଟା ମାଟିକୁ ଚିକ୍କଣ କରିବା ପାଇଁ କୌଣସି ମିଶ୍ରଣ ଯନ୍ତ୍ର ବାହାରି ନାହିଁ । ଯନ୍ତ୍ର ବାହାରି ଥିଲେ ଅଳ୍ପ ସମୟ ମଧ୍ୟରେ ଅଧିକ ମୂର୍ତ୍ତି ଗଢାଯାଇ ପାରିବା ସହ ମୂର୍ତ୍ତି ଗୁଡିକ ଅଧିକ ଜୀବନ୍ତ ହୋଇପାରିଥାନ୍ତା ବୋଲି ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ମୂର୍ତ୍ତି ନିର୍ମାଣ କରି ଗୁଜୁରାଣ ମେଣ୍ଟାଉଥିବା କାରିଗର ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦେବାର ମୂର୍ତ୍ତି କାରିଗର ଅରବିନ୍ଦ ବିଶ୍ୱାଳ ଅଧିକ ଜୋର ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ