ଖୋଲୁନି ମଣ୍ଡି, ଖୋଲା ଆକାଶ ତଳେ ପଡି ରହିଛି ଶହ ଶହ ଧାନ ବସ୍ତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ଗତ ଡିସେମ୍ବର ୧୫ ଠାରୁ ଧାନ ଅମଳ ଆରମ୍ଭ ହୋଇ ଡିସେମ୍ବର ୩୦ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ଖୋଲିବାର ନାଁଗନ୍ଧ ନାହିଁ । ଚାଷୀ ମାନେ ଅମଳ ଧାନକୁ ବସ୍ତାରେ ପୁରାଇ ଖୋଲା ଆକାଶ ତଳେ ଖଳାରେ ରଖିଥିବା ଦେଖାଯାଉଛି । ଜାନୁଆରୀ ପ୍ରଥମ ସପ୍ତାହରେ ଧାନ ଟୋକନ ଆସିଥିଲେ ମଧ୍ୟ ମଣ୍ଡି ଖୋଲା ଯାଇନଥିବାରୁ ଚାଷୀ ମାନେ ଧାନ ବିକ୍ରୟ କରି ପାରୁନାହାନ୍ତି । ଦୀର୍ଘ ଦିନ ଧରି ଧାନ ବସ୍ତା ସବୁ ଖୋଲା ଆକାଶ ତଳେ ପଡିବା ରହିବା ଯୋଗୁ ନଷ୍ଟ ହେବାର ଆଶାଙ୍କା ପ୍ରକାଶ ପାଇଛି । ଚାଷୀ ମାନଙ୍କ କହିବା ଅନୁଯାୟୀ ପୂର୍ବରୁ ଡିସେମ୍ବର ୨୦ରେ ଧାନ ମଣ୍ଡି ଖୋଲୁଥିଲ । ଚାଷୀମାନେ ଅମଳ ଧାନକୁ ମଣ୍ଡିରେ ପକାଇ ପାରୁଥିଲେ । ମାତ୍ର ଚଳିତ ବର୍ଷ ୨୦ ଦିନ ବିତି ଯାଇଥିଲେ ମଧ୍ୟ ମଣ୍ଡି ଖୋଲି ନାହିଁ । ଫଳରେ ଚାଷୀ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ବହୁ ଚାଷୀ ଧାନକୁ ସୁରକ୍ଷିତ ରଖି ନପାରି ୧୫ ଶହରୁ ୧୬ ଶହ ଟଙ୍କା ଶାଗମାଛ ଦରରେ ବେପାରୀ ମାନଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଚାଷୀ ମାନଙ୍କର ଅଶେଷ କ୍ଷତି ହେଉଛି । ସରକାର ଏପଟେ ୮ ଶହ ଟଙ୍କା ଇନପୁଟ୍ ସବସିଡ୍ ଦେଇ ସେପଟେ ଜାଣିଶୁଣି ଚାଷୀଙ୍କ ଧାନକୁ ବେପାରୀ ମୁହଁକୁ ଠେଲି ଦେଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ କୌଣସି ବର୍ଷ ଏଭଳି ପରିସ୍ଥିତି ଦେଖାଯାଇନଥିବା ବେଳେ ଚଳିତ ବର୍ଷ ସରକାର ଜାଣିଶୁଣୀ ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେବାକୁ କୌଶଳ କରିଛନ୍ତି । ବର୍ତ୍ତମାନ ଏହି ବ୍ଲକରେ ଗୋଟିଏ ଦୁଇଟି ସ୍ଥାନକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ମଣ୍ଡି ଖୋଲି ନଥିବା ଜଣାଯାଇଛି । ରାଜ୍ୟ ସରକାର ଚାଷୀ ମାରଣ ନୀତିକୁ ପରିହାର କରି ତୁରନ୍ତ ମଣ୍ଡି ଖୋଲି ଧାନ କିଣିବା ବ୍ୟବସ୍ଥା ନକଲେ ଚାଷୀ ମାନେ ବାଧ୍ୟ ହୋଇ ରାଜ ରାସ୍ତାରେ ଧାନ ବସ୍ତା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


