ଅସହାୟ ବୃଦ୍ଧଙ୍କୁ ଦେବଦୂତ ସାଜି ଚିକିତ୍ସା ସୁବିଧା ଯୋଗାଇଲେ ୩ ଯୁବକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସମାଜରୁ ମାନବିକତା ସମ୍ପୂର୍ଣ୍ଣ ମରିଯାଇନାହିଁ, ବରଂ ଆଜି ବି କିଛି ସହୃଦୟ ଯୁବକଙ୍କ ପାଇଁ ଏହା ଜୀବିତ ରହିଛି। ଏଭଳି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ। ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅସହାୟ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜି ଆଗେଇ ଆସିଛନ୍ତି ସ୍ଥାନୀୟ କିଛି ଯୁବକ। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ରାୟଗଡ଼ ବ୍ଲକ ଅନ୍ତର୍ଗତ ରାସ୍ତାକଡ଼ରେ ଏକ ପରିତ୍ୟକ୍ତ ସ୍ଥାନରେ ଜଣେ ଅଜ୍ଞାତ ବୃଦ୍ଧ କ୍ଷୁଧା ଓ ଅସୁସ୍ଥତା ଜନିତ କାରଣରୁ ପଡ଼ି ରହିଥିଲେ। ବୟସର ଅପରାହ୍ନରେ ପରିବାର ଓ ସମାଜ ଦ୍ୱାରା ବେସାହାରା ହୋଇଥିବା ଏହି ବୃଦ୍ଧଜଣକ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିଲେ। ଦୀର୍ଘ ଦିନ ଧରି ଚିକିତ୍ସା ଅଭାବରୁ ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେଥିରୁ ପୋକ ସାଲୁବାଳୁ ହେଉଥିଲେ। ଏଭଳି ଅତି କଷ୍ଟଦାୟକ ସ୍ଥିତିରେ ସେ ଭୋକ ଉପାସରେ କେବଳ ଛଟପଟ ହେଉଥିଲେ ମଧ୍ୟ ଅନେକ ପଥିକ ତାଙ୍କୁ ଦେଖି ନଦେଖିଲା ଭଳି ଚାଲିଯାଉଥିଲେ। ତେବେ ଏହି ସମ୍ପର୍କରେ ଖବର ପାଇ ସ୍ଥାନୀୟ ସମ୍ବେଦନଶୀଳ ଯୁବକ ଟୁନା ରେଲି, ରକୀ ନାୟକ ଏବଂ ଚିତ୍ର ସେନ ଲେଙ୍କା ପ୍ରମୁଖ ବିନା କୌଣସି ଦ୍ୱିଧାରରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଜର ମାନବିକତା ଦେଖାଇ ବୃଦ୍ଧଙ୍କୁ ସେହି ଦୁର୍ଗନ୍ଧମୟ ସ୍ଥାନରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ତୁରନ୍ତ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ୱାରା ବୃଦ୍ଧଙ୍କ ଗୋଡ଼ର ଜରୁରୀକାଳୀନ ସଫେଇ କରାଯିବା ସହ ଚିକିତ୍ସା ଜାରି ରହିଛି। ଯୁବକମାନଙ୍କର ଏହିଭଳି ମହତ ଓ ସାହସିକ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କୁ ସଲାମ କରାଯିବା ସହ ବେଶ୍ ପ୍ରଶଂସା କରାଯାଉଛି। ଅପରପକ୍ଷରେ, ସ୍ଥାନୀୟ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଦାବି କରିଛନ୍ତି ଯେ, ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ତାଙ୍କୁ କୌଣସି ସୁରକ୍ଷିତ ଜରାଶ୍ରମ କିମ୍ବା ସରକାରୀ ଆଶ୍ରୟସ୍ଥଳୀରେ ସ୍ଥାୟୀ ଥଇଥାନ କରାଯାଉ।


