ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୫ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ଓ ବୁଲାଣିଆ ଗୁମ୍ମା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଯାତ୍ରୀମାନେ ଏକ ଅଟୋରିକ୍ସାରେ ଯାଉଥିବା ସମୟରେ ଗୁମ୍ଫା ଘାଟିରେ ଚାଳକ ଭାରସାମ୍ୟ ହରାଇବାରୁ ଅଟୋଟି ରାସ୍ତାରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ନିଆ ଯାଇଥିଲା. ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି। ମୃତ ବ୍ୟକ୍ତିଙ୍କର ଶବକୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି. ଏହି ଘଟଣା ନେଇ ସେରଙ୍ଗ ପୋଲିସ ଥାନାରେ କେସ ନଂ 149 ରେ ଏକ ମକଦ୍ଦ୍ୱମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଜେ. ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି.


