ସରକାରୀ ଶିଶୁ ଚିକିତ୍ସାଳୟ ଶିଶୁଭବନର ନୂଆ କୋଠାରେ ଚାଲିଛି ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା

କଟକ (ଓ୍ବାଇଏନଏସ): ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ସରକାରୀ ଶିଶୁ ଚିକିତ୍ସାଳୟ ଶିଶୁଭବନର ନୂଆ କୋଠାରେ ଚାଲିଛି ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା। ଓଟିରେ ଲାଇଟ୍‌ ନଥିବାରୁ ବାଧ୍ୟ ହୋଇ ଟର୍ଚ୍ଚ ଲାଇଟ୍‌ ପକାଇ କରାଯାଉଛି ଷ୍ଟିଚ୍‌(ସିଲେଇ)। ରୁମ୍‌ରେ ଲାଇଟ୍‌ ବ୍ୟବସ୍ଥା ହେଲେ ବି ଷ୍ଟିଚ୍‌ ପକାଇବାବେଳେ ନିର୍ଦ୍ଦିଷ୍ଟ କ୍ଷତ ସ୍ଥାନରେ ଟର୍ଚ୍ଚ ଆଲୁଅ ପକାଇବାକୁ ପଡୁଛି। ଏଭଳି ଫଟୋ ଏବେ ଭାଇରାଲ୍‌ ହେଉଥିବାବେଳେ ଏହାକୁ ନେଇ ଶିଶୁରୋଗୀଙ୍କ ଚିକିତ୍ସାର ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। କଟକର ୨ ବର୍ଷର ଏକ ଶିଶୁକୁ ଏଭଳି ଢଙ୍ଗରେ ଷ୍ଟିଚ୍‌ ପକାଇବାର ଦୃଶ୍ୟ ଭାଇରାଲ୍ ହେଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଅତ୍ୟନ୍ତ ତରବରିଆ ଭାବେ ଶିଶୁଭବନ ନୂଆ କୋଠାକୁ ସର୍ଜରି ବିଭାଗ କାଜୁଆଲିଟି ସ୍ଥାନାନ୍ତର କରି ଦିଆଯାଇଥିଲେ ବି ସେଠି ଆନୁଷଙ୍ଗିକ ବ୍ୟବସ୍ଥା ହୋଉ ନାହିଁ। ଡ୍ରେସିଂରୁମ୍‌ରେ ଷ୍ଟିଚ୍‌ ପାଇଁ ସ୍ବତନ୍ତ୍ର ଲାଇଟ୍‌ ବ୍ୟବସ୍ଥା ହେଇନି। ଓଟିରେ ଲାଇଟ୍‌ ଲାଗି ନାହିଁ। ଯାହାଫଳରେ ଡ୍ରେସିଂରୁମ୍‌ରେ ଟର୍ଚ୍ଚ ଲାଇଟ୍‌ରେ ଶିଶୁରୋଗୀଙ୍କ ଷ୍ଟିଚ୍‌ କରାଯାଉଛି। କଟକ ରାଜାବଗିଚା ଅଞ୍ଚଳର ୨ବର୍ଷର ଶିଶୁ ଦୁର୍ଘଟଣାରେ ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଶିଶୁଭବନ ନେଇଥିଲେ। ଓଟି ଲାଇଟ୍ ନ ଥିବାରୁ ବାଧ୍ୟ ହୋଇ ଟର୍ଚ୍ଚ ଲାଇଟ୍‌ ଧରି ଷ୍ଟିଚ୍‌ ପକାଯାଇଥିଲା। ନୂଆ କୋଠା ନିର୍ମାଣର ଅନେକ ମାସ ପରେ ଲୋକାର୍ପଣ ହେଲା। କିନ୍ତୁ ଲୋକାର୍ପଣ ପରେ ବି ଡାକ୍ତର, କର୍ମଚାରୀ ଅଭାବରୁ ସବୁ କିଛି ସ୍ବାଭାବିକ ହୋଇପାରୁନି। ଫଳରେ ସର୍ଜରି ବିଭାଗ ପୁରୁଣା କୋଠାରେ ଓଟି ଚାଲିଛି। କେବଳ କାଜୁଆଲିଟି ଓ ଡ୍ରେସିଂରୁମ୍‌ ନୂଆ କୋଠାକୁ ଆସିଛି। ଓଟି ଲାଇଟ୍ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଲେଖାଯାଇଛି। କିନ୍ତୁ ଲାଇଟ୍‌ ନଥିବାରୁ ବାଧ୍ୟ ହୋଇ ଷ୍ଟିଚ୍‌ ପକାଇବା ଓ ଖୋଲିବା ବେଳେ ଟର୍ଚ୍ଚ ଲାଇଟ୍‌ ବ୍ୟବହାର କରାଯାଉଛି ବୋଲି ପରୋକ୍ଷରେ କର୍ତ୍ତୃପକ୍ଷ ସ୍ବୀକାର କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ