ଓସେପା ଯୁଗ୍ମ ନିର୍ଦେଶିକାଙ୍କ ବେତନଟୀ ଗସ୍ତ: ଏମପିସି ହାଇସ୍କୁଲ ଓ ବୈଶିଙ୍ଗା ୟୁପି ସ୍କୁଲ ପରିଦର୍ଶନ

ବେତନଟୀ ( ଉଦିତ କୁମାର ପରିଡା) : ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥୋରିଟି (ଓସେପା)ର ଯୁଗ୍ମ ନିର୍ଦେଶିକା ପ୍ରାଚୀତନୟା ଗିରି ଶନିବାର ବେତନଟୀ ବ୍ଲକ ଗସ୍ତରେ ଆସି ଦୁଇଟି ସ୍କୁଲ ପିଏମଶ୍ରୀ ଏମପିସି ହାଇସ୍କୁଲ ଓ ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବିଭାଗୀୟ ଅଧିକାରୀ, ପ୍ରଧାନଶିକ୍ଷକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ସମସ୍ୟା ସମାଧାନ ଓ ଉନ୍ନତି ପାଇଁ ଗଠନମୂଳକ ପରାମର୍ଶ ପ୍ରଦାନ କରିଛନ୍ତି। ପ୍ରାଚୀତନୟା ଗିରିଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନୋଦ ସିଂ ପ୍ରଥମେ ବେତନଟୀସ୍ଥିତ ପିଏମଶ୍ରୀ ଏମପିସି ହାଇସ୍କୁଲରେ ପହଞ୍ଚିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଅର୍ଜୁନ ସିଂ ଓ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହି ପରିଦର୍ଶନ ସମୟରେ ସେ ନବମ ଶ୍ରେଣୀ ପାଇଁ ପ୍ରଯୁଜ୍ୟ ଉତ୍କର୍ଷ ବେସଲାଇନ ଆସେସମେଣ୍ଟ (ଶିକ୍ଷାବର୍ଷ ୨୦୨୫-୨୬) ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସ୍କୁଲର ଶିକ୍ଷାଗତ ସ୍ଥିତି ନିରୀକ୍ଷଣ କରିଥିଲେ। ପ୍ରଧାନଶିକ୍ଷକଙ୍କଠାରୁ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ସେ ସମସ୍ୟା ସମାଧାନ ପାଇଁ ଗୁରୁତ୍ୱପୂର୍ଣ ପରାମର୍ଶ ପ୍ରଦାନ କରିଥିଲେ। ଏହା ସହିତ, ସେ କ୍ଲାସରୁମକୁ ଯାଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ଗଠନମୂଳକ ପରାମର୍ଶ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ଏହାପରେ, ବେତନଟୀ ବ୍ଲକ ଶିକ୍ଷାଧିକାରୀ ବିପ୍ଳବ କରଙ୍କ ସହ ଯୁଗ୍ମ ନିର୍ଦେଶିକା ବୈଶିଙ୍ଗାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍କୁଲର ସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ପ୍ରଥମକରି ଶିଶୁବାଟିକାର ଶୁଭାରମ୍ଭ ହୋଇଥିବାରୁ, ସେ କୁନିକୁନି ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କର ନିୟମିତ ଉପସ୍ଥାନ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାର ଗୁଣବତ୍ତା ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସାର୍ବିକ ବିକାଶ ପାଇଁ ସେ ଶିକ୍ଷକମାନଙ୍କୁ ଆବଶ୍ୟକ ଦିଗନିର୍ଦେଶ ପ୍ରଦାନ କରିଥିଲେ। ବେତନଟୀ ବ୍ଲକର ଏହି ଦୁଇ ସ୍କୁଲ ପରିଦର୍ଶନ ପରେ ପ୍ରାଚୀତନୟା ଗିରି ବଡ଼ସାହି ବ୍ଲକ ଅଭିମୁଖେ ଗସ୍ତ କରିଥିଲେ। ଏହି ପରିଦର୍ଶନ ମାଧ୍ୟମରେ ସ୍କୁଲଗୁଡ଼ିକର ଶିକ୍ଷାଗତ ସ୍ଥିତି ନିରୀକ୍ଷଣ କରାଯାଇଥିବା ସହ, ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ଅଙ୍ଗୀକାର ବ୍ୟକ୍ତ ହୋଇଛି। ଗ୍ରାମୀଣ ଅଞ୍ଚଳରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସାର୍ବିକ ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ବୋଲି ସ୍ଥାନୀୟ ଶିକ୍ଷକ ଓ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ