ଗହଙ୍ଗୁ ଗ୍ରାମ ପଞ୍ଚାୟତ ରାଜନୀତିରେ ହଲ୍ଚଲ୍ : ବିଜେପିରେ ମିଶିଲେ ହେବିୱେଟ୍ ନେତା ଗୋବିନ୍ଦଚନ୍ଦ୍ର
ଆସିକା (ୱାଇଏନ୍ଏସ୍): ଆଉ କିଛି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସିକା ବ୍ଳକ ପରିସରଭୁକ୍ତ କେତେକ ପଞ୍ଚାୟତରେ ଗ୍ରାମ୍ୟ ରାଜନୀତି ଦିନକୁ ଦିନ ହଲ୍ଚଲ୍ ଓ ସରଗରମ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍ଏସି ଅନ୍ତର୍ଗତ ଖମ୍ବେଶ୍ୱରୀପାଟଣାରେ ଥିବା ବିଧାୟକ ସରୋଜ କୁମାର ପାଢୀଙ୍କ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ଏବଂ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ସାଙ୍ଗଠନକି ଦକ୍ଷତା ଓ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆସିକା ବ୍ଳକ ଅନ୍ତର୍ଗତ ଗହଙ୍ଗୁ ଗ୍ରାମ ପଞ୍ଚାୟତର ହେବିୱେଟ୍ ନେତା ତଥା ଗତ ପଞ୍ଚାୟତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସମେତ ତାଙ୍କର ବହୁ ଶୁଭେଚ୍ଛୁ ଓ ସମର୍ଥକ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ଜଣାପଡିଛି । ଆସିକା ବିଧାୟକ ସରୋଜ କୁମାର ପାଢୀ ବିଜେପିରେ ଯୋଗଦେଇଥିବା ଗହଙ୍ଗୁ ଗ୍ରାମ ପଞ୍ଚାୟତର ଯୁବନେତା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସମେତ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକଙ୍କୁ ଉତ୍ତରୀୟ ପିନ୍ଧାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବା ସହ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି ବିଧାୟକ ସରୋଜ କୁମାର ପାଢୀଙ୍କ ନେତୃତ୍ୱରେ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି ବୋଲି ବରିଷ୍ଠ ବିଜେପି ନେତା ଶିବ କୁମାର ନାୟକ ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବହୁ ବିଜେପି ନେତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ଗହଙ୍ଗୁ ଗ୍ରାମ ପଞ୍ଚାୟତର ହେବିୱେଟ୍ ନେତା ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କୁ ସ୍ୱାଗତ କରିବା ସହ ତାଙ୍କର ଯୋଗଦାନ ଫଳରେ ଭାଜପା ସଂଗଠନ ଉକ୍ତ ପଞ୍ଚାୟତରେ ଆହୁରି ସୁଦୃଢ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


