ଖାରିଆ ଦଣ୍ଡଦଳର ଢୋଲ ବାଦ୍ୟରେ ଦୁଲୁକିଲା ଆର୍ବନ ବ୍ୟାଙ୍କ ରୋଡ୍‌

ଆସିକା (ୱାଇଏନ୍‍ଏସ୍‍): ଆସିକା ଏନ୍‌ଏସି ପରିସରଭୁକ୍ତ ୧୫ନଂ ୱାର୍ଡ ଅଧିନସ୍ଥ ଆର୍ବନ ବ୍ୟାଙ୍କ ରୋଡରେ ଖାରିଆ ଦଣ୍ଡଦଳର ଦଣ୍ଡନୃତ୍ୟ ପରିବେଷଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆର୍ବନ ବ୍ୟାଙ୍କ ରୋଡର ମାନସିକଧାରୀ ଭକ୍ତ ଜୟନ୍ତୀ ଦାଶ ଓ ତାଙ୍କ ପୁତ୍ର ମନୋଜ କୁମାର ଦାଶ, ସରୋଜ କୁମାର ଦାଶ, ବିରେନ୍ଦ୍ର କୁମାର ଦାଶଙ୍କ ସମେତ ପରିବାରବର୍ଗ ରବିବାର ପ୍ରତ୍ୟୁଷରେ ଖାରିଆ ଦଣ୍ଡଦଳକୁ ବିଧିବିଧାନ ଅନୁଯାୟୀ ବରଣ କରିଥିଲେ । ପୂର୍ବାହ୍ନରେ ଖାରିଆ ଦଣ୍ଡଦଳର ଦଣ୍ଡୁଆମାନେ ମାନସିକଧାରୀ ଜୟନ୍ତୀ ଦାଶଙ୍କ ଅର୍ବାନ ବ୍ୟାଙ୍କ ରୋଡ୍‌ ସ୍ଥିତ ବାସଭବନ ନିକଟରେ ପହଞ୍ଚି ଦଣ୍ଡନୃତ୍ୟ ପାଳନର ରୀତିନୀତି ଉପରେ ଢୋଲ ବାଦ୍ୟର ତାଳେ ତାଳେ ଗୀତ ମାଧ୍ୟମରେ ଅବଗତ କରିବା ପରେ ପ୍ରଚଣ୍ଡ ଖରାରେ ଦଣ୍ଡୁଆ ମାନେ ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅପରାହ୍ନରେ ପବିତ୍ର ଋଷିକୂଲ୍ୟା ନଦୀରେ ମାନସିକଧାରୀ ଦଣ୍ଡୁଆ ମାନେ ପାଣିଦଣ୍ଡ ସମ୍ପନ୍ନ କରିବା ପରେ ଅଗ୍ନିଦଣ୍ଡ ପରିବେଶଣ ହୋଇଥିଲା । ଆସିକା ଏନ୍‍ଏସି ଅଧୀନସ୍ଥ ଟାଉଲ୍‍ହଲ୍‍ ପରିସରରେ ଅନୁଷ୍ଠିତ ସାଂନ୍ଧ୍ୟ ଆଳତୀ ସମୟରେ ଦେବ ଦେବ ମହାଦେବ ଓ ମହାମାୟୀ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ବେଳେ ମଧ୍ୟରାତ୍ରରେ ଖାରିଆ ଦଣ୍ଡ ଦଳର ପାରମ୍ପରିକ ପୌରାଣିକ ନାଟକ ଦାନବୀର ହରିଶ୍ଚନ୍ଦ୍ର ମଞ୍ଚସ୍ଥ ହୋଇଥିଲା । ଏହି ପୌରାଣିକ ନାଟକ ଦାନବୀର ହରିଶ୍ଚନ୍ଦ୍ର ଦେଖିବା ଲାଗି ଯୁବପିଢିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାରମ୍ପରିକ ଦଣ୍ଡଯାତ୍ରା ଏକ ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ଚାଲିଥିବା ବେଳେ ଦଣ୍ଡଦଳର ଢୋଲ ଓ ମହୁରୀ ଶବ୍ଦରେ ରାଜରାସ୍ତା ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ