ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ପ୍ରଥମ ଦିନରେ ଓଡ଼ିଶା ୨୪୩ ରନ୍‌ରେ ଅଲଆଉଟ୍

କଟକ, (ଓ୍ବାଇଏନଏସ): ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଏଲିଟ୍‌-ସି (ଅଣ୍ଡର-୧୬) ବହୁଦିବସୀୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୨୪୩ ରନ୍‌ରେ ଅଲଆଉଟ୍ ହୋଇଛି। ଜବାବରେ ହାଇଦ୍ରାବାଦ କୌଣସି ୱିକେଟ୍ ନହରାଇ ୯ ଓଭରରେ ୩୧ ରନ୍ ସଂଗ୍ରହ କରିଛି। ଫଳରେ ହାଇଦ୍ରାବାଦ ଏବେ ଓଡ଼ିଶାଠାରୁ ୨୧୨ ରନ୍ ପଛରେ ରହିଛି। କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍‌ର ନାଭୁଲେ ଷ୍ଟାଡିୟମ୍ ନମ୍ବର-୨, ଶିବମୋଗାଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା। ଓଡ଼ିଶା ପକ୍ଷରୁ ସୂରଜ ଜୟସ୍ୱାଲ ଦମ୍‌ଦାର ବ୍ୟାଟିଂ କରି ୧୧୫ ବଲ୍‌ରୁ ୬୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୧୦ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ସେହିପରି ମିଧାଂଶୁ ଦାସ ୭୮ ବଲ୍‌ରୁ ୪୬ ରନ୍ କରିଥିଲେ। ତାଙ୍କ ଇନିଂସ୍‌ରେ ୧୦ଟି ଚୌକା ରହିଥିଲା। ଏହି ଦୁଇ ବ୍ୟାଟର୍‌ଙ୍କ ଉପଯୋଗୀ ଅବଦାନ ବଳରେ ଓଡ଼ିଶା ୭୮.୧ ଓଭରରେ ୨୪୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା।ହାଇଦ୍ରାବାଦ ପକ୍ଷରୁ ଅନିରୁଦ୍ଧ ନାଏକ ଚମତ୍କାର ବୋଲିଂ କରି ୧୬.୧ ଓଭରରେ ୩୯ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ସୟଦ ୱାଲିଦ୍ ୧୪ ଓଭରରେ ୪୩ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ହାଇଦ୍ରାବାଦ ୯ ଓଭରରେ ବିନା ୱିକେଟ୍‌ରେ ୩୧ ରନ୍ କରିଛି। ସ୍ମୟନ ଭରଦ୍ୱାଜ ୩୩ ବଲ୍‌ରୁ ୨୩ ରନ୍ ଏବଂ ପାର୍ଥିଭ ୨୧ ବଲ୍‌ରୁ ୭ ରନ୍ କରି ଅପରାଜିତ ଅଛନ୍ତି। ଦ୍ୱିତୀୟ ଦିନର ଖେଳରେ ଓଡ଼ିଶା ବୋଲର୍‌ମାନେ ହାଇଦ୍ରାବାଦକୁ କେତେ ଶୀଘ୍ର ଅଟକାଇ ପାରୁଛନ୍ତି, ତାହା ଉପରେ ନଜର ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ