କେବେ ଶୁଣିବେ ସରକାର : ଜଣେ ଦୁଇଜଣ ଶିକ୍ଷକରେ ଚାଲିଛି ସ୍କୁଲ, ଶିକ୍ଷାଦାନ ଠପ

ହାଟଡ଼ିହି,  (ଓ୍ବାଇଏନଏସ) :  ରାଜ୍ୟ ସରକାର ଓ ରାଜ୍ୟ ଶିକ୍ଷା ବିଭାଗର ଦୁରଦୃଷ୍ଟିର ଅଭାବ ଯୋଗୁଁ ଏବେ  ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ (ବ୍ଲକଗ୍ରାଣ୍ଟ) ଗୁଡିକ ବନ୍ଦ ହେବାକୁ ବସିଛି। ସେପଟେ ପୂର୍ବ ସରକାର ଏହି ସ୍କୁଲ ଗୁଡିକୁ ୫-ଟିରେ ସାମିଲ କରାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମୀ ସୁଦୃଢ କରିବା ସହିତ ସୌନ୍ଦର୍ଯ୍ୟ କରଣ କରି  ଡିଏମଏଫ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅଧିକରୁ ଅଧିକ ଶ୍ରେଣୀଗୃହ ସବୁ ନିର୍ମାଣ କରିଛନ୍ତି । ଯଦି ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାପାଇଁ ସରକାର ଯୋଜନା କରିଛନ୍ତି ତେବେ ଏହାକୁ ୫-ଟିରେ ସାମିଲ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଏପରି ସୁଦୃଢ ଭିତ୍ତିଭୁମୀ କରିବା କାହା ସ୍ୱାର୍ଥରେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ଶିକ୍ଷକ ନଥିବାବେଳେ ଏହିସବୁ ଶ୍ରେଣୀଗୃହ ଓ ସୌନ୍ଦର୍ଯ୍ୟ କରଣ କଣପାଇଁ ହୋଇଛି ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅଧିକାଶଂ ହାଇସ୍କୁଲ ନଥିବା ପଞ୍ଚାୟତରେ ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜିବୀ ମାନଙ୍କ ଦ୍ୱାରା ନୂତନ ହାଇସ୍କୁଲ ସ୍ଥାପନ କରାଯାଇଥିଲା । ଏହାଦ୍ୱାରା ସେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଦୂର ଦୁରାନ୍ତକୁ ନଯାଇ ସହଜରେ ମାଟ୍ରିକ ଶିକ୍ଷା ଶେଷ କରିପାରିବେ । ପୁର୍ବପରି ଏହି ସ୍କୁଲ ଗୁଡିକୁ ସରକାର ହାତକୁ ନେଇ ଶିକ୍ଷକ ଦରମା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସମସ୍ତ ଦାୟିତ୍ୱ ସରକାର ବୁଝିବେ ବୋଲି ଆଶା କରାଯାଉଥିଲା । ମାତ୍ର ସରକାର ପୁର୍ବ ନିୟମକୁ ପ୍ରଚଳନ ନକରି ବିଦ୍ୟାଳୟ ଗୋଟିଏକୁ ନିୟମ ଗୋଟିଏ ଭଳି ନୁତନ ନିୟମ ଲାଗୁ କରିଦେବା ଦ୍ୱାରା ଏହି ବିଦ୍ୟାଳୟ ଗୁଡିକରେ ଅନିଶ୍ଚିତତା ଲାଗି ରହିଥିଲା । ତେବେ ରାଜ୍ୟ ସରକାର ବହୁ ଦାବିପରେ ଏହି ସବୁ ସ୍କୁଲ ଗୁଡିକୁ ପ୍ରଥମେ  ବ୍ଲକ ଗ୍ରାଣ୍ଟ ସ୍କୁଲର ମାନ୍ୟତା ଦେଲେ। ପରବର୍ତ୍ତୀ ସମୟରେ ବ୍ଲକ ଗ୍ରାଣ୍ଟ ନାମ ଉଠାଇ ଦେଇ ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ବୋଲି ଘୋଷଣା କରିବା ସହିତ କେବଳ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଦରମା ଦେଇ ଖୁସି କରିଦେଲେ ସିନା କିନ୍ତୁ ସ୍କୁଲକୁ ହାତକୁ ନେଲେନି । ଯେଉଁ ଶିକ୍ଷକମାନେ ସେତେବେଳେ ନିଯୁକ୍ତି ପାଇଥିଲେ  ସେମାନେ ୩୦ /୩୫ ବର୍ଷ କାମ କରିବା ପରେ ଏବେ ସେଥିମଧ୍ୟରୁ ଅନେକ ଅବସର ନେଲେଣି ତ ଆଉ କିଏ ମୃତ୍ୟୁବରଣ କରିସାରିଲେଣି । ସରକାରଙ୍କ ନିୟମାନୁଯାଇ ଏହିସବୁ ବିଦ୍ୟାଳୟ ମାନଙ୍କରେ ଆଉ ଶିକ୍ଷକ ନିଯୁକ୍ତି କରାଯାଇପାରୁ ନାହିଁ । ଫଳରେ ସେହିସବୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଯୋଗୁଁ  ଶିକ୍ଷାଦାନରେ ଘୋର ବାଧା ଦେଖାଦେଇଛି । ଏପରିକି ଆଉ ଦିନ କେଇଟା ଭିତରେ ଅଧିକାଂଶ ସ୍କୁଲ ବନ୍ଦ ହେବାକୁ ବସିଛି । ଗୋଟିଏ ଗୋଟିଏ ବିଦ୍ୟାଳୟରେ ୧/୨ ଜଣ ଶିକ୍ଷକ ଓ କର୍ମଚାରୀ ଥିବାରୁ କିପରି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନୁମେୟ ।  ଉଦାହରଣ ସ୍ୱରୁପ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତଟି ଆଦିବାସୀ ହରିଜନ ବହୁଳ ପଞ୍ଚାୟତ ହୋଇଥିବା ବେଳେ ଏହି ପଞ୍ଚାୟତରେ ହାଇସ୍କୁଲ ନଥିବାରୁ କିଛି ବୁଦ୍ଧିଜୀବୀ ଓ ଗ୍ରାମବାସୀ ଏଠାରେ ୧୯୮୬ ମସିହାରେ ହାଇସ୍କୁଲ ସ୍ଥାପନ କରିଥିଲେ ।ଏହି ବିଦ୍ୟାଳୟ ସ୍ଥାପନ ସମୟରେ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ, ଜଣେ ହିନ୍ଦି, ଜଣେ ଖେଳ ଶିକ୍ଷକ, ଜଣେ କିରାଣୀ ଓ ତିନିଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ଏହିପରି ମୋଟ ୧୨ଜଣ ଶିକ୍ଷକ ଶିକ୍ଷତ୍ରୀ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ ।   ଫଳରେ ବିଦ୍ୟାଳୟ ଟି ସୁରୁଖୁରୁରେ ଚାଲୁଥିଲା।  ପୁର୍ବତନ ଛାତ୍ରଛାତ୍ରୀ ମାନେ ଏଠାରୁ ଶିକ୍ଷାଲାଭ କରି ଏବେ ଅନେକ ବଡ ବଡ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ।  କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଶିକ୍ଷକମାନେ ଅବସର ନେବାପରେ ଦିନକୁ ଦିନ ଶିକ୍ଷକ ଓ କର୍ମଚାରୀଙ୍କ ସଂଖ୍ୟା କମି କମି ଯାଉଛି । ଏବେ କେବଳ ଜଣେ ହିନ୍ଦି ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ଚାଲୁଛି । କୌଣସି କର୍ମଚାରୀ ନାହାନ୍ତି। ଏହି ବିଦ୍ୟାଳୟରେ ଶହଶହ ଛାତ୍ରଚାତ୍ରୀ ଅଧ୍ୟୟନ କରୁଥିବାବେଳେ ଶିକ୍ଷକ ଅଭାବକୁ ନେଇ ଅନେକ ଅଭିଭାବକ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଏଠାରେ ଶିକ୍ଷାଦାନ କରିବାକୁ ଉଚିତ ନମଣି ଦୂର ଦୁରାନ୍ତ ସ୍କୁଲରେ ଶିକ୍ଷାଲାଭ କରାଉଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ଦୁର ଦୁରାନ୍ତ ସ୍କୁଲକୁ ନଯାଇ ପାରି ଅଧାରୁ ପାଠ ଛାଡି ଦେଲେଣି । ଏବେ ତିନୋଟି ଶ୍ରେଣୀରେ ୫୭ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ପ୍ରାୟତ ଅନେକ ବିଷୟରେ ଶିକ୍ଷାଦାନ ଆରମ୍ଭ ହୋଇନି । ଶିକ୍ଷାବର୍ଷର ୪ମାସ ବିତି ଯାଇଥିଲେ ବି ବିଜ୍ଞାନ, ଗଣିତ, ଇଂରାଜୀ, ସଂସ୍କୃତ, ଭୂଗୋଳ, ଇତିହାସ ଭଳି ବିଷୟରେ ଛାତ୍ରଛାତ୍ରୀ ମାନେ ବହି ଖୋଲି ପାରି ନାହାନ୍ତି। କିନ୍ତୁ ଏହି ହାଇସ୍କୁଲକୁ ୫-ଟିରେ ରୁପାନ୍ତରିତ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କରାଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତ ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସ ରୁମ, ଆବଶ୍ୟକ କମ୍ପ୍ୟୁଟର, ଉନ୍ନତମନର ଖେଳ ପଡିଆ ଆଦି ବ୍ୟବସ୍ଥା କରାଯାଇଛି । ସବୁଥାଇ ବି ଶିକ୍ଷକ ନଥିବାରୁ ଏଠାରେ ଶିକ୍ଷାଦାନ କିପରି ହେବ କଣ ଶ୍ରେଣୀ ଘର ଗୁଡିକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବକି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ ଆସନ୍ତା ୨୦୨୭ରେ ଏହି ହିନ୍ଦୀ ଶିକ୍ଷକ ଅବସର ନେବେ। ତେଣୁ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବବିଷ୍ୟତ କଣ ହେବ ବୋଲି ସ୍କୁଲ ପରିଚାଳନା କମିଟି ସଦସ୍ୟ ଦେବ ଘଡେଇ ଓ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି।  ସେହିପରି ନିଶାକର ହାଇସ୍କୁଲ ମଉଦାରେ ମଧ୍ୟ ସମାନ ଅବସ୍ଥା । ସେଠାରେ ୮ଜଣ ଶିକ୍ଷକ ଓ ୪ଜଣ କର୍ମଚାରୀ ଥିବାବେଳେ ଏବେ ଜଣେ କଳା ଶିକ୍ଷକ, ଜଣେ ବିଜ୍ଞାନ ଶିକ୍ଷକରେ  ଚାଲିଛି ବିଦ୍ୟାଳୟ । ଏ ସ୍କୁଲକୁ ୫-ଟିରେ ସାମିଲ କରାଯାଇ ଭିତ୍ତିଭୂମୀ ସୁଦୃଢ କରା ଯାଇଛି। ଏଠାରେ ତିନୋଟି ଶ୍ରେଣୀରେ ୯୫ଜଣ ପିଲା ପଢ଼ୁଥିବା ବେଳେ ସଂସ୍କୃତ, ହିନ୍ଦୀ, ଇତିହାସ, ଭୂଗୋଳ ଭଳି ବିଷୟରେ ପାଠପଢା ଆରମ୍ଭ ହୋଇନି। ଶିକ୍ଷକ ନିଯୁକ୍ତି ନକରି ସ୍କୁଲ ଗୁଡିକୁ ୫-ଟିରେ ସାମିଲ କରିବା କେତେଦୁର ଯଥାର୍ଥ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଆଖପାଖରେ ହାଇସ୍କୁଲ ନଥିବା ବେଳେ ୧୦ ଖଣ୍ଡି ଗ୍ରାମର ଛାତ୍ରଛାତ୍ରୀ ମାନେ ଏହି ସ୍କୁଲ ଉପରେ ନିର୍ଭର କରିଥାନ୍ତି। ଆସନ୍ତା କେଇ ମାସ ଭିତରେ ଆଉ ଜଣେ ଶିକ୍ଷକ ଅବସର ନେବାକୁ ଯାଉଥିବା ବେଳେ କିପରି ଶିକ୍ଷାଦାନ ହେବ ତାକୁନେଇ ହରମୋହନ ରାଉତ, ପ୍ରାଣବନ୍ଧୁ ନାୟକ, ସୁବୋଧ କୁମାର ସାହୁ, ପ୍ରଫୁଲ୍ଲ କୁମାର ଚନ୍ଦ, ଅନାଦି ଚରଣ ମଲ୍ଲିକ, ପଞ୍ଚାନନ ପଣ୍ଡା ପ୍ରମୁଖ ଗ୍ରାମବାସୀ ମାନେ ସନ୍ଦିହାନ ହୋଇପଡିଛନ୍ତି। ସେହିପରି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବ୍ଲକର ସର୍ବାଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ସ୍କୁଲରେ ଦୁଇ ବର୍ଷ ଭିତରେ ତିନି ୩ ଜଣ ଶିକ୍ଷକ ଅବସର ନେଇଯିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମୁଣ୍ଡରେ ଚଡକ ପଡିଛି। ଖାଲି ଏହି ଦୁଇ ତିନୋଟି ବିଦ୍ୟାଳୟ ନୁହେଁ ବ୍ଲକରେ ଥିବା ୨୦ଟି ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ସମାନ ଅବସ୍ଥା ସୃଷ୍ଟି ହୋଇଛି। ଗତ କିଛିବର୍ଷ ହେଲା ଅତିଥି ଶିକ୍ଷକ ନିଯୁକ୍ତି ଦେଇ ଶିକ୍ଷାଦାନ କରା ଯାଉଥିବା ବେଳେ ଏ ବର୍ଷ ତାହା ବନ୍ଦ ହୋଇଯାଇଛି। ସରକାର ତୁରନ୍ତ ଏନେଇ ପଦକ୍ଷେପ ନନେଲେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଅଭିଭାବକ ମାନେ ଆଶଙ୍କାରେ ଅଛନ୍ତି। ତେଣୁ ରାଜ୍ୟ ସରକାର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନୂତନ ଶିକ୍ଷକ ନିଯୁକ୍ତି ପ୍ରଦାନ କରି ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା କରନ୍ତୁ ବୋଲି ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଅଭିଭାବକ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ