ଆମ୍ବ ଗଛରୁ ପଡି ଯୁବକ ମୃତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଚାରିଛକ ନିକଟସ୍ଥ ମାଧବ ପ୍ରଧାନସାହି ଗ୍ରାମର ଜଣେ ଯୁବକ ଆଜି ଚନ୍ଦ୍ରମଉଳି ନିକଟ ସଦାବାବାଜୀ ତୋଟାରେ ଆମ୍ବ ତୋଳୁଥିବା ବେଳେ ଗଛରୁ ଖସି ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ,ମାଧବ ପ୍ରଧାନସାହି ଗ୍ରାମର ସହଦେବ ବସ୍ତିଆ ଙ୍କ ପୁଅ ବିଭୁତି ବସ୍ତିଆ (୨୨)ଆଜି ମଧ୍ୟାହ୍ନରେ ସଦା ବାବାଜୀ ତୋଟାରେ ସାଙ୍ଗ ମାନଙ୍କ ସହ ଆମ୍ବ ଗଛରୁ ଆମ୍ବ ତୋଳୁ ଥିବା ସମୟରେ ଅସାବଧାନତା ହେତୁ ଗଛରୁ ଖସି ପଡ଼ିଥିଲେ। ତାଙ୍କୁ ତାର ସାଙ୍ଗସାଥୀ ଓ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଏକ ଅପମୃତ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଚାରିଛକ ଓ ମାଧବ ଅଞ୍ଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି।


