ଅଦିନିଆ ଲଘୁଚାପ ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନ କୁଣ୍ଢେମୋଟ ହୋଇ ଯାଇଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ ଦାଉ ସାଧିଛି । ଡିସେମ୍ବର ମାସରେ ଚାଷୀ ଧାନ ଅମଳ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ଡିସେମ୍ବର ମାସ ପ୍ରଥମରୁ ିିଁ ବର୍ଷା ଦାଉ ସାଧିଥିଲା । କଷ୍ଟମଷ୍ଟେ ଚାଷୀ ତାର ଅମଳ ଧାନକୁ ସାଇତି ରଖିବାରେ ଉଦ୍ୟମ କରି ସଫଳ ହୋଇଥିଲା । କିଛି ଚାଷୀ କ୍ଷେତରୁ ଧାନକାଟି ଖଳାରେ ଗଦା କରିଥିବା ବେଳେ କିଛି ଚାଷୀ ଧାନକୁ କାଟି କ୍ଷେତ୍ରରେ ହିଁ ଗଦା କରିଥିଲେ । ଏଭଳି ସମୟରେ ଡିସେମ୍ବର ତୃତୀୟ ସପ୍ତାହରେ ଅଦିନିଆ ଲଘୁଚାପ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷୀ ତାର ଅମଳ ଧାନକୁ ହରାଇବା ଆଶଙ୍କା ରହିଥିଲା । ବର୍ଷା ବନ୍ଦ ପରେ ଅମଳ ଧାନରେ ବର୍ଷା ପାଣି ରହିଥିବାରୁ ଚାଷଜମିରୁ ଧାନକୁ ବାହାର କରି ଶୁଖାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଣିଥରେ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷଜମିରେ ପଡିଥିବା ଧାନ ଗଜା ହୋଇପଡିଛି । ଏଭଳି ପରିସ୍ଥିତିରେ ଚାଷୀ ତାର ବର୍ଷକର ଭାତହାଣ୍ଡିକୁ ହରାଇ ବସିଛି । ବର୍ଷତମାମ କିଭଳି ପରିବାର ପ୍ରତିପୋଷଣ କରିବ ସେ, ନେଇ ଚିନ୍ତାରେ ପଡିଛି ଚାଷୀ । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ଥିବା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡା, ଖଣ୍ଠରା, ଚାନ୍ଦୁଲି, ସିକିରି, ରାଳବ, ଶାସନଆମ୍ବଗାଁ, ଖରିଡା, ଆଲପୁର ଅଞ୍ଚଳରେ ଅମଳ ପନିପରିବା ଫସଲ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଧାନ ଓ ପନିପରିବା ଚାଷୀଙ୍କୁ କ୍ଷତିପୁରଣ ରାଶି ବାବଦରେ ୭ ଦଫା ଦାବି ନେଇ ହିଞ୍ଜିଳିକାଟୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଭିକାରୀ ସାହୁଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛି । କୃଷି କ୍ଷେତ୍ରରେ କ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ ଓ ସହାୟତା ପ୍ରଦାନ, ଋଣ ଛାଡ, ଚାଷୀଙ୍କୁ ଜଳକର ଛାଡ, ଧାନର ଗୁଣାତ୍ମକ ମାନରେ କୋହଳ, ହେକ୍ଟର ପ୍ରତି କ୍ଷତିର ଦସହାୟକ ମୂଲ୍ୟ ବୃଦ୍ଧି ସହ ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ପ୍ରମୁଖ ଦାବି ରହିଛି । ଦାବିପତ୍ର ପ୍ରଦାନ ସମୟରେ ହିଞ୍ଜିଳି ବିଧାୟକଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଉପାଧ୍ୟକ୍ଷା ସୁନିଲ ଗନ୍ତାୟତ, ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୌରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ସଭାପତି ଦୁର୍ଗମାଧବ ମହାନ୍ତି, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମୀ, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଫଟୋ- ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ