ଅବ୍ୟବସ୍ଥା ଘେରରେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଶପୁର, ବଉଳଝୁଳି, ରୋହିଗାଁ, ମସିହାଖଲି ପଞ୍ଚାୟତରେ ଥିବା ୪୫ ହଜାର ଜନସାଧାରଣଙ୍କ ନିମନ୍ତେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଛି।କିନ୍ତୁ ରୋଗୀ ମାନେ ଠିକ ସେବା ପାଉ ନଥିବା ନେଇ ଅଭିଯୋଗ କରିଛନ୍ତି ପଞ୍ଚାୟତ ବସି।ସୂଚନା ପ୍ରକାରେ ସ୍ବାସ୍ଥ୍ୟ ସେବା ସହ ଅନ୍ୟାନ୍ୟ ସେବା ପ୍ରଦାନ ନିମନ୍ତେ କୁକୁଡ଼ାଖଣ୍ଡିରେ ପଞ୍ଚାୟତରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥିତ।ଅଞ୍ଚଳ ବାସୀଙ୍କୁ 24×7 ସେବା ପ୍ରଦାନ ନିମନ୍ତେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିଲା l ଏଥି ନିମନ୍ତେ ଜନସାଧାରଣଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଭେଷଜ, ଶିଶୁଭେଷଜ ବିଭାଗରେ ୪ଜଣ ଅଭିଜ୍ଞ ଡାକ୍ତରଙ୍କୁ ପୋଷ୍ଟିଂ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ଜଣେ ବି ନାହାନ୍ତି ଅଭିଜ୍ଞ ଡାକ୍ତର। ଅଭିଜ୍ଞ ଡାକ୍ତରଙ୍କ ସହଯୋଗ ନିମନ୍ତେ ୪ଜଣ ଏମବବିଏସ ଡାକ୍ତରଙ୍କୁ ପୋଷ୍ଟିଂ ହୋଇଥିବା ବେଳେ ବର୍ତ୍ତମାନ ଅଛନ୍ତି ୨ଜଣ ଏମବିବିଏସ ଡାକ୍ତର।୨ଜଣ ମଧ୍ୟରୁ ଜଣେ ଏମବିବିଏସ ଡାକ୍ତର ଦୀର୍ଘଦିନ ହେଲା ଛୁଟିରେ ଥିବା ସୂଚନା ମିଳିଛି, ଏପରିକି ୫ଜଣ ଷ୍ଟାଫ ନର୍ସଙ୍କ ସ୍ଥଳେ କେବଳ ଜଣେ ଷ୍ଟାଫନର୍ସ, ଫାର୍ମାସି ୨ ଜଣ ସ୍ଥଳେ ଜଣେ ଓ ଏଟେଣ୍ଡର ୩ ଜଣ ସ୍ଥାନରେ କେବଳ ଜଣେକୁ ନେଇ ଚାଲିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର। ଡାକ୍ତର ଓ ସ୍ଟାଫ୍ଙ୍କ ଅଭାବ ପୂରଣ ନିମନ୍ତେ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚଳିତ ବର୍ଷ ମଇ ମାସରେ ସିଡ଼ିଏମଓଙ୍କୁ ପତ୍ର ପ୍ରେରଣ,ଏପରିକି ଦିଗପାହଣ୍ଡି ବିଧାୟକ ଡ଼ ସିଦ୍ଧାନ୍ତ ମହାପାତ୍ର ଜୁଲାଇ ମାସରେ ସିଡିଏମଓଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନହିଁ ବୋଲି କହିଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏମଓ ସୋହନ କୁମାର ପଟ୍ଟନାୟକ।ଡାକ୍ତର ଅଭାବ ପୂରଣ ନିମନ୍ତେ ପ୍ରତିଦିନ ବିଭିନ୍ନ ପିଏଚସିରୁ ଡାକ୍ତର ମାନେ ଆସି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ କରୁଛନ୍ତି।ଦେଖିବାକୁ ଗଲେ ଭଗବାନଙ୍କ ଭରସାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନହିଁ ।ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି ପଞ୍ଚାୟତ ବାସୀ।