ଓଡ଼ିଶାର ଆଦିବାସୀ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର
ପୋଲସରା,(ଅନିଲ କୁମାର ମହାରଣ):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୁଲ୍ୟରେ “ଓଡିଶାର ଆଦିବାସୀ ସଂସ୍କୃତି” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରକୁ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଉଦଘାଟନ କରିବା ସହିତ ଅଧ୍ୟକ୍ଷତା କରିଥିଲେ l ଉକ୍ତ ପାଠଚକ୍ରରେ ବିଷୟ ବିଶେଷଜ୍ଞ ତଥା ମୁଖ୍ୟବକ୍ତା ଭାବେ ସୋରଡା ଋଷିକୂଲ୍ୟା ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ତଥା କବି ଓ ସମାଲୋଚକ ଧର୍ମେନ୍ଦ୍ର ନାଥ ପାତ୍ର ଯୋଗଦେଇ ଓଡ଼ିଶାର ଆଦିବାସୀମାନଙ୍କର ପର୍ବପର୍ବାଣୀ, ଚାଲିଚଳନୀ, ବେଶଭୂଷl, ଖାଦ୍ୟପେୟ, ସାମାଜିକ ବିଧି ବ୍ଯବସ୍ଥା, ଧାର୍ମିକ ବିଶ୍ବାସ, ସୌନ୍ଦର୍ଯ୍ୟ ଚେତନା, ଆଧୁନିକୀକରଣ ସମ୍ପର୍କରେ ସୁନ୍ଦର ଓ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ପାଠଚକ୍ରରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଦର୍ଶନଶାସ୍ତ୍ର ବିଭାଗର ବରିଷ୍ଠ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଆଦିବାସୀମାନଙ୍କର ଜୀବନ ଯାପନ ଶୈଳୀ ବିଷୟରେ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ବିରଞ୍ଚି ନାରାୟଣ ରଥ ଅତିଥି ପରିଚୟ ତଥା ପାଠଚକ୍ରର ଆଭିମୁଖ୍ୟ ପ୍ରଦାନ କରିଥିଲେ l ସ୍ନାତକୋତ୍ତର ଶ୍ରେଣୀର ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀମାନେ ସନ୍ଦର୍ଭ ପାଠ କରିଥିଲେ l ବିଭାଗର ବରିଷ୍ଠ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଓ ଅଧ୍ୟାପକ ଟୁଟୁ ଡାକୁଆଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହୋଇଥିବା ଉକ୍ତ ଆଲୋଚନା ଚକ୍ରରେ ବିଭାଗର ସ୍ନାତକୋତ୍ତର ଓ ସ୍ନାତକ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଶେଷରେ ବିଭାଗର ଅନ୍ୟତମ ପ୍ରବୀଣ ଯୁବ ଅଧ୍ୟାପକ ଲିପିନାଥ ସିଂହ ନିଜ ଅନୁଭୂତି ବର୍ଣ୍ଣନା କରିବା ସହିତ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l