କଥାବାଚିକା

ଚିରକୁମାରୀ ପଦ୍ମକୁମାରୀ ପିଲାମାନଙ୍କୁ ଖୁବ ଭଲ ପାଉଥିଲେ. ପିଲାମାନେ ଅମୃତର ଶିଶୁ ବୋଲି କହି କଥାବାଚକ ପଦ୍ମକୁମାରୀ ସେ ଅଞ୍ଚଳରେ ଖୁବ ନାମ କମେଇଥିଲେ. ପଦ୍ମଫୁଲ ପରି ମୁହଁକୁ ସୁନ୍ଦର ପୌରାଣିକ ପୃଷ୍ଠଭୂମି ଆଧାରିତ ପ୍ରଶ୍ନର ଉତ୍ତରରେ ସମସ୍ତଙ୍କୁ ଯେମିତି ସମ୍ମୋହିତ କରି ରଖିବା କଳା ନେଇ ଜନ୍ମ ହୋଇଛନ୍ତି ସେ ବୋଲି ବାଟେ ଘାଟେ ପ୍ରଚାର, ପ୍ରସାର, ଆଲୋଚନା ଚାଲୁଥିଲା. ବ୍ୟକ୍ତିତ୍ୱ ମଧ୍ୟ ପଦ୍ମକୁମାରୀଙ୍କ ସ୍ୱତନ୍ତ୍ର ଥିଲା. ଗାଈ ପାଳନ ଓ ଗୋମାତା ସେବା ସହିତ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ଆଶ୍ରୟଦାତ୍ରୀ ଥିଲେ ପଦ୍ମକୁମାରୀ. ଖାଲି କଣ ସେତିକି!ଅସହାୟ ଶିଶୁମାନଙ୍କ ଯତ୍ନ ସହିତ ତାଙ୍କ ଚରିତ୍ର ଗଠନ ପାଇଁ ସବୁପ୍ରକାର ସୁବିଧା କାରିଥିଲେ ସେ ଖୋଲିଥିବା ଆଶ୍ରମରେ. ତା ଭିତରେ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ସେ ଦିବ୍ୟ ସନ୍ତାନ ବୋଲି କହି ସେମାନଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା ତଥା ସୃଜନୀକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରୁଥିଲେ.
ପଦ୍ମକୁମାରୀ ବୁଝିଥିଲେ ଶିଶୁ ମନ ଫୁଲ ପରି କୋମଳ. ଶାସ୍ତି ପରିବର୍ତ୍ତେ ଶିଶୁ ମନ ବୁଝି କାମ କଲେ ଭବିଷ୍ୟତରେ ସେ ଗୋଟେ ଭଲ ନାଗରିକ ହୋଇ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ. ସେମିତି ଗୋଟିଏ ବାଳକ ଥିଲା କୁନା, ଯାହାକୁ କିଛି ଶୁଣା ଯାଉନଥିଲା. ସମସ୍ତଙ୍କୁ କିଛି କିଛି କାମ ମିଳିବା ପରି ତାକୁ ମଧ୍ୟ ଗାଈ ଗୋରୁଙ୍କୁ ସନ୍ଧ୍ୟାରୁ ରାତି ସାତଟା ପର୍ଯ୍ୟନ୍ତ ଜଗିବାକୁ କୁହାଯାଇଥିଲା. ସମାଜରେ ଖାଲି ଯେ ଭଲଲୋକ ରହିବେ କିଛି ମାନେ ନାହିଁ. ବହି ଧରି ପଢୁଥାଏ କୁନା.ଏହି ସମୟରେ ଚୋରଟିଏ ଗାଈ ଫିଟାଇ କୁନା ଅଲକ୍ଷରେ ଗାଈଟିକୁ ଚୋରାଇ ନେବାକୁ ସ୍ଥିର କରି ଯୋଜନା ଅନୁସାରେ ସେ କାମଟି କରିବାରେ ଲାଗିପଡିଥାଏ. କୁନା ବୁଲିକି ଅନେଇଲେ ସିନା ଦେଖିବ ନଚେତ ତାକୁ କିଛି ଶୁଣାଯାଏନା ତ ଚୋରକୁ ସୁବିଧା ମିଳିଗଲା କିନ୍ତୁ ଗାଈର ହମା ହମା ଡାକରେ କି ଯାଦୁ ଥିଲା କେଜାଣି କୁନାକୁ ଲାଗିଲା କେହି ତାର ନାମ ଧରି ଯେମିତି କୁନା କୁନା ଡାକୁଛି ତ ସେ ଧାଇଁ ଯାଇ ମାଆ ବୋଲି ଡାକୁଥିବା ପଦ୍ମକୁମାରୀଙ୍କ ଆଗରେ କହିଲା ମତେ କେହି କୁନା କୁନା ବୋଲି ଡାକୁଥିବାର ମୁଁ ଶୁଣିପାରିଲେ ମଧ୍ୟ କାହାକୁ ଆଲୁଅ ଅନ୍ଧାର ଖେଳ ଭିତରେ ଦେଖିପାରୁନି. ପଦ୍ମକୁମାରୀ କିଛି ଭାବି କୁନା ସାଙ୍ଗରେ ଗୋମାତା ରହୁଥିବା ସ୍ଥାନକୁ ଆସି ଦେଖିଲେ ଗାଈଟି ଜୋରରେ ହମା ହମା ବୋଲି ରଡି ଛାଡ଼ୁଛି ତ ସଙ୍ଗେ ସଙ୍ଗେ ସତର୍କ ଘଣ୍ଟି ବାଜିଉଠିଲା. ପରିଚାରକ ମାନେ ଘେଦି ଯାଇ ଚୋରକୁ ଧରିଲେ ଓ ଗୋମାତାଙ୍କୁ ଉଦ୍ଧାର କଲେ. ତା ପରଠୁ ପଦ୍ମକୁମାରୀ ଜାଣିସାରିଥିଲେ କୁନା ନିଶ୍ଚୟ ଶୁଣି ପାରିବ. ସତକୁ ସତ ଡାକ୍ତର କୁନା କାନ ପରୀକ୍ଷା କରି ଅସ୍ତ୍ରୋପଚାର କରିବା ପରେ କୁନାକୁ ଏବେ ଶୁଭୁଥିଲା ତ ସେ ଆଜି ହୋଲିରେ ସବୁପିଲାଙ୍କୁ ଏକତ୍ରିତ କରି ସମସ୍ତଙ୍କୁ ସତର୍କ କରିଦେଇଥିଲା କି କେମିକାଲ ରଙ୍ଗ ଖେଳିବା ଉଚିତ ନୁହେଁ. ଆଖି କାନ, ନାକ, ଚର୍ମ ଓ ପାଟିର ଯତ୍ନ ନେବା ପାଇଁ ବାଜରରେ ମିଳୁଥିବା ରଙ୍ଗ ନକିଣି ଗଛ ପତ୍ରରୁ ତିଆରି ହର୍ବାଲ ରଙ୍ଗ କିଣି ଖେଳିଲେ ସ୍ୱାସ୍ଥ୍ୟପ୍ରଦ ଓ ବିପଦ ନାହିଁ. ସିଆଡେ ପଦ୍ମକୁମାରୀ ମଧ୍ୟ କର୍ମଚାରୀମାନଙ୍କୁ ଲଗାଇ ହାତତିଆରି ଗୁଳ୍ମ ଠାରୁ ଦ୍ରୁମ ପର୍ଯ୍ୟନ୍ତ ଗଛର ପତ୍ରର ରସରେ ବିଶୁଦ୍ଧ ଫଗୁ ଯଥା ହଳଦୀ, ଅଁଳା, ବାହାଡା, ସାହାଡା ଇତ୍ୟାଦିରୁ ତିଆରି ଫଗୁ ମିଶାଇ ପିଲାଙ୍କ ହୋଲି ଖେଳ ପାଇଁ ପ୍ରସ୍ତୁତ କରି ରଖିଥିଲେ.ପଦ୍ମକୁମାରୀଙ୍କ ନିର୍ଦ୍ଦେଶରେ ପିଲାମାନେ ବଡ଼ମାନଙ୍କ ପାଦରେ ସେହି ରଙ୍ଗ ଦେଇ, ପ୍ରଣାମ କରି ହୋଲି ଖେଳିଥିଲେ ଏବର୍ଷ. ଏଣିକି ପଦ୍ମକୁମାରୀଙ୍କ ହାତଗଢ଼ା ଆଶ୍ରମରେ ରହି ମଣିଷ ପରି ମଣିଷ ହେବାକୁ ଅଧିକାଂଶ ମାଆ ବାପା ତାଙ୍କ ପିଲାଙ୍କୁ ଆଶ୍ରମର ଶୃଙ୍ଖଳିତ ଜୀଵନ ଜାପନ କରିବାକୁ ଆଗ୍ରହ ପ୍ରକାଶ କରୁଥିଲା ବେଳେ ଗୋଟିଏ ନୂଆ ସମସ୍ୟା ଆସି ପହଁଞ୍ଚି ଥିଲା ପଦ୍ମକୁମାରୀଙ୍କ ପାଖେ.
ପଦ୍ମକୁମାରୀଙ୍କ ପାଖକୁ ସେଦିନ ଆସିଥାଆନ୍ତି ଜଣେ ବୃଦ୍ଧ ଦମ୍ପତ୍ତି. ଯେଉଁମାନେ କି ବିବାହର ସିଲଭର ଜୁବଲି ପାଳନ କରି ସତୁରୀ ବର୍ଷରେ ପଦାର୍ପଣ କରିସାରିଥିଲେ ମଧ୍ୟ ବିଚ୍ଛେଦ ଚାହୁଁଥିଲେ. ଆଶ୍ଚର୍ଯ୍ୟ ହେଲେ ପଦ୍ମକୁମାରୀ. ଏମିତି କେଶ ତାଙ୍କ ଜୀବନରେ ପ୍ରଥମ ଥିଲା. ଅନେକ କୋର୍ଟ କଚେରୀ ବୁଲି ସାରିବା ପରେ ସେ ଦୁହେଁ ନିରାଶ ହୋଇ କଥାବାଚିକା ପଦ୍ମକୁମାରୀଙ୍କ ଶରଣ ପଶି ଥିଲେ. ଯୋଉ ନ୍ୟାୟାଳୟକୁ ଯାଉଥିଲେ ସେଠାରେ ସେମାନଙ୍କୁ ବୁଝାସୁଝା କରି ଆପୋଷ ଆଲୋଚନା ମଧ୍ୟରେ ଅବଶିଷ୍ଟ ବାକି ଜୀଵନ କାଟିଦେବାକୁ ପରାମର୍ଶ ଦେଇ ଘର ବସେଇବାକୁ ଚେଷ୍ଟା କରୁଥିଲେ ଜଜମାନେ ଆଉ ନିଜ ଯୋଜନାରେ ଅସଫଳ ହୋଇ ପଦ୍ମକୁମାରୀଙ୍କ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ ସେ ହୁହେଁ . ପିଲାଙ୍କ ପାଇଁ ଆଜିଯାଏଁ ଦୁଇ ବିପରୀତଧର୍ମୀ ସ୍ୱାମୀ ସ୍ତ୍ରୀ ଏକାଠି ହୋଇ ନିଜର ସମସ୍ତ କର୍ତ୍ତବ୍ୟ ପାଳନ କରିସାରିବା ପରେ ଏବେ ନିଜ ପସନ୍ଦରେ, ନିଜ ମନ ଅନୁସାରେ ବଞ୍ଚିବାକୁ ଚାହୁଁଥିଲେ. ହରଡ଼ଘଣାରେ ପଡ଼ିଥିଲେ ପଦ୍ମକୁମାରୀ. ଏତେ ଅଭିଜ୍ଞ, ଜ୍ଞାନୀ, ଗୁଣୀ, ଅନୁଭୂତିସମ୍ପର୍ଣ୍ଣ ଦମ୍ପତ୍ତିଙ୍କ ବିଚ୍ଛେଦ କେମିତି ହେବ ସେ ବୁଝିନପାରି ତାଙ୍କ ଆଶ୍ରମରେ ଖାଲିଥିବା ଦୁଇ ଗୋଟି କୋଠରୀରେ ସେ ଦୁହିଁଙ୍କୁ ଅଲଗା ଅଲଗା ରହିବାକୁ ପରାମର୍ଶ ଦେଇଥିଲେ.
ଦେଖାଗଲା ପ୍ରତିଟି କାର୍ଯ୍ୟରେ ଜଣେ ଅନ୍ୟ ଜଣଙ୍କ ଉପସ୍ଥିତି ଲୋଡୁଛି. ଯେମିତିକି ସକାଳୁ ଉଠୁ ଉଠୁ ସ୍ୱାମୀଙ୍କ ପସନ୍ଦର ଉଷୁମ ପାଣି ପ୍ରସ୍ତୁତ କରୁଛନ୍ତି ସ୍ତ୍ରୀ ତ ସେପଟେ ସ୍ୱାମୀ କାହାକୁ ପଚାରି ଚାଲିଛନ୍ତି ଆଜି ଯୋଗାଭ୍ୟାସ କରିବ ନାହିଁକି, ତୁମ ଆସନ ମୁଁ ପ୍ରସ୍ତୁତ କରିସାରିଛି ଯେ. ଏପଟେ ଗାଧେଇଲା ବେଳେ ଟର୍କିସ ଧରି ସ୍ତ୍ରୀ ଗାଧୁଆ ଘର କବାଟ ବାଡେଇ ନିରାଶ ହେଉଥିଲେ ତ ସେପଟେ ଗିଜର ଖୋଲି ସ୍ୱାମୀ କହୁଥିଲେ ଗାଧେଇବ ଯାଅ. ପଦ୍ମକୁମାରୀ ବୁଝିସାରିଥିଲେ ଦୁହିଁଙ୍କ ପସନ୍ଦ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଅଭ୍ୟାସ ବଶତଃ ଦୁହେଁ ଦୁହିଁଙ୍କର ହୋଇସାରିଛନ୍ତି. ଏ ଦୁହିଁଙ୍କୁ ଏକୁଟିଆ କରିବା କି ସମ୍ଭବ!
ନିୟତିର ନିର୍ଦେଶ ଥିଲା ଭିର୍ନ୍ନ. ସେଦିନ ଖୁବ ରାତିରେ ସ୍ୱାମୀ ସ୍ତ୍ରୀ ପରସ୍ପର ଭିତରେ କଥାବାର୍ତ୍ତା ହେଉ ହେଉ ସ୍ୱାମୀ କହୁଥିଲେ ମୁଁ ଇନ୍ସୁରାନ୍ସ କରାଇ ନେଇଛି ମୋ ଅନ୍ତେ ତୁମର କିଛି ଅସୁବିଧା ହେବନି. ସ୍ତ୍ରୀ ଏପଟେ କହୁଥିଲେ ମୋର କି ଅଭାବ ଅଛି ଯେ ତୁମେ ମୋ ପାଇଁ ଇନ୍ସୁରାନ୍ସ କରାଇଛ ବରଂ ମୁଁ ମରିଗଲା ପରେ ମୋ ମୁହଁରେ ପୁଅ ଝିଅ ନୁଁହଁନ୍ତି ବରଂ ତୁମେ ନିଆଁ ଟିକେ ଦେଇଦେବ. ସେମାନଙ୍କ କଥାବାର୍ତ୍ତାର ବିବରଣୀ ଟ୍ୟାପ କରି ଶୁଣୁଥିବା ପଦ୍ମକୁମାରୀ ଦେଖିଲେ ଦୁହିଁଙ୍କର କଥାବାର୍ତ୍ତା ହଠାତ ବନ୍ଦ ହୋଇଗଲା.ଦୁହିଁଙ୍କ ରୁମକୁ ପଶି ପଦ୍ମକୁମାରୀ ଦେଖିଥିଲେ ଦୁହିଁଙ୍କ ହାତରେ ରିସିଭର ଝୁଲି ରହିଥିଲେ ମଧ୍ୟ ଦେହରେ ଜୀଵନ ନଥିଲା. ହୋଲିର ସକାଳ ପାଇଲା ବେଳକୁ ଦୁଇଟି କୋକେଇ ସାତରଙ୍ଗୀ ହୋଲିରେ ସଜେଇ ସ୍ୱର୍ଗଦ୍ୱାର ଅଭିମୁଖେ ଆଗେଇ ଯାଉଥିବା ବେଳେ ଅଶ୍ରୁ ରୋକି ହୋଇ ପାରୁନଥିଲା ଅନ୍ତେବାସୀଙ୍କ ଆଖିରୁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ