ଚାରି ଲେନ୍ ବିଶିଷ୍ଟ ହେବ କନ୍କତୋରା-ଝାରସୁଗୁଡ଼ା ସେକ୍ସନ୍
ସମ୍ବଲପୁର, (ଲିପନ ନାଏକ):ଶିଳ୍ପ ଓ ଖଣିଖାଦାନରେ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର କନକତୋରା-ଝାରସୁୁଗୁଡ଼ା ସେକ୍ସନ୍କୁ ଚାରି ଲାଇନ୍ ବିଶିଷ୍ଟ କରାଯିବ । ଏଥିପାଇଁ ଡିପିଆର୍ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତିଆର କରାଯାଉଛି । ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ କାର୍ଯ୍ୟଦେଶ ଦିଆଯିବ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥମନ୍ତ୍ରୀଙ୍କ ପକ୍ଷରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପତ୍ରର ଉତ୍ତରରେ ଏ ସଂପର୍କରେ ସୂଚନା ଦିଆଯାଇଛି । ଏହି ଜାତୀୟ ରାଜପଥର କନକତୋରା-ଝାରସୁଗୁଡ଼ା ସେକ୍ସନ୍ ବ୍ରଜରାଜନଗର ଦେଇ ଯାଇଛି । ଏହା ଦୁଇ ଲେନ୍ ବିଶିଷ୍ଟ ଅଟେ । ପ୍ରତ୍ୟହ ହଜାର ହଜାର ମାଲ୍ବାହୀ ଓ ଯାତ୍ରୀବାହୀ ଯାନବାହନ ଏହି ରାଜପଥ ଦେଇ ଯାଉଛି । ହେଲେ ଏହି ରାସ୍ତାରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ବର୍ତ୍ତମାନ ସମସ୍ତ ପ୍ରକାର ସୁରକ୍ଷା ନିରାପତ୍ତା ପଦକ୍ଷେପ ନିଆଯାଉଛି । ଏହି ଜାତୀୟ ରାଜପଥର କେତେକ ସ୍ଥାନ ଓ ଦୁର୍ଘଟଣାପ୍ରବଣ ସ୍ଥାନରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସାଇନ୍ ବୋର୍ଡ, ରୋଡ ମାର୍କିଂ ପ୍ରଭୃତି ସହିତ ଲାଇଟ୍ର ବ୍ୟବସ୍ଥା କରାଯାଇଛି । ସେହିଭଳି ବ୍ରଜରାଜନଗର-ଝାରସୁଗୁଡ଼ା ମଝିରେ ଥିବା ଇବ୍ ନଦୀ ଉପରେ ତିନି ଲେନ୍ ବିଶିଷ୍ଟ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଆସନ୍ତା ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ । କନକତୋରା-ଝାରସୁଗୁଡ଼ା ଜାତୀୟ ରାଜପଥ ସେକ୍ସନ୍କୁ ସୁଦୃଢ଼ କରିବା ପାଇଁ ପଚାଶ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଆସନ୍ତା ଜୁନ୍ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ତେବେ ଏହି ଜାତୀୟ ରାଜପଥକୁ ଟ୍ରାଫିକ୍ ଅନୁକୂଳ କରିବା ଏବଂ ଅତିରିକ୍ତ ସଡ଼କ ସୁରକ୍ଷା ପଦକ୍ଷେପ ନେବା ପାଇଁ କ୍ଷେତ୍ରସ୍ତରୀୟ ୟୁନିଟ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସାଂସଦ ଶ୍ରୀ ପୁରୋହିତଙ୍କୁ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।