ସଂସ୍କୃତି ସଂପନ୍ନ ଦଣ୍ଡନାଚରେ ଅପସଂସ୍କୃତିର ଅନୁପ୍ରବେଶ ମସୁଧାକୁ ବନ୍ଦ ଦାବୀ
ଆସିକା, (ୱାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ଆଉମାତ୍ର ହାତଗଣତି କିଛି ଦିନ ପରେ ବିଭିନ୍ନ ଗ୍ରାମାଞ୍ଚଳରେ ଆରମ୍ଭ ହେବ ଐତିହାସିକ ଓ ପାରମ୍ପରିକ ଦଣ୍ଡଯାତ୍ରା । ନାଚଗୀତରେ ଦୁଲୁକିବ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସାହିବସ୍ତି । ତେବେ ଦଣ୍ଡନାଚର ଯେଉଁ ସ୍ୱାତନ୍ତ୍ର୍ୟ ରହିଛି ତାହା ବଜାୟ ରଖିବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଦୀର୍ଘ କିଛି ବର୍ଷ ଧରି ସଂସ୍କୃତି ସଂପନ୍ନ କେତେକ ଦଣ୍ଡନାଚରେ ରେକର୍ଡ ଡ୍ୟାନ୍ସ ନାମରେ ଚାଲିଆସିଥିବା ଅପସଂସ୍କୃତିର ଅନୁପ୍ରେବଶକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଦଣ୍ଡଯାତ୍ରା ସମୟରେ କେତେକ ଦଣ୍ଡଦଳରେ ଅଶ୍ଳୀଳ ଭାଷା, ଆଧୁନିକ ନୃତ୍ୟଗୀତ ପରିବେଷଣକୁ ବୁଦ୍ଧିଜୀବୀ ତଥା ସଚେତନ ନାଗରିକ ମହଲରେ ନାପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ପରମ୍ପରା ଓ ସଂସ୍କୃତି ନାମରେ ଅପସଂସ୍କୃତିକୁ ଦଣ୍ଡନାଚରେ ଲଦି ଦିଆନଯାଉ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଦଣ୍ଡନାଚରେ ମା’ କାଳୀ ଓ ଦେବଦେବ ମହାଦେବଙ୍କୁ ଉପାସନା କରାଯାଇଥାଏ । ଏହା ଦୀର୍ଘ ବର୍ଷର ପୁରୁଣା ପରମ୍ପରା । ତେବେ କେତେକ ଅଞ୍ଚଳରେ ସାଂପ୍ରତିକ ପରିସ୍ଥିତିରେ ଏହି ଦଣ୍ଡନାଚର ଟ୍ରେଣ୍ଡ ଦିନକୁ ଦିନ ବଦଳି ଯାଉଥିବା ଲକ୍ଷ୍ୟ କରାଯାଇଛି । ଅତୀତରେ ଦଣ୍ଡଯାତ୍ରା ସମୟରେ ଯେଉଁ ସ୍ପଷ୍ଟ ସଂସ୍କୃତିକୁ ପ୍ରଶୟ ଦିଆଯାଉଥିଲା ଏବେ ସେହି ସ୍ଥାନରେ କେତେକ କ୍ଷେତ୍ରରେ ଅପସଂସ୍କୃତି ପ୍ରବେଶ କରୁଥିବା ଲକ୍ଷ୍ୟ କରାଯାଇଛି । ମାନସିକ ପୂରଣ ପାଇଁ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହ ରହି ଦେବଦେବ ମହାଦେବ ଓ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୧ ଦିନିଆ ଦଣ୍ଡଯାତ୍ରା ଠାରୁ ଆରମ୍ଭ କରି ୧୮ ଦିନିଆ ଓ ୧୩ ଦିନିଆ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ । ଦଣ୍ଡଯାତ୍ରାରେ ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ କେତେକ ଦଣ୍ଡଦଳରେ ପାରମ୍ପରିକ ଦଣ୍ଡଚରିତ୍ର ପରିବେଷଣ କରାଯିବା ବଦଳରେ ଆଧୁନିକ ଅପେରା ପରିବେଷଣ କରାଯାଉଥିବା ଦେଖିବାକୁ ମିଳୁଛି । ଐତିହାସିକ ଓ ପାରମ୍ପରିକ ଦଣ୍ଡଯାତ୍ରାର ବିଶେଷ ମହତ୍ୱ ରହିଛି । ପ୍ରଚଣ୍ଡ ଖରାରେ ଦଣ୍ଡୁଆଙ୍କ ଦ୍ୱାରା ପରିବେଷିତ ହେଉଥିବା ଧୂଳିଦଣ୍ଡର ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି । ଚଢେୟା, ଚଢେୟାଣୀ ନାଟକ ଯେଭଳି କାହାଣୀ ଉପରେ ପର୍ଯ୍ୟବେସିତ ସେଭଳି ମନଛୁଆଁ ହୋଇଥିଲା ବେଳେ କେତେକ ଦଣ୍ଡଦଳରେ କାହାଣୀ ନାମରେ ଠାଏ ଠାଏ ଅଶ୍ଳୀଳ ଇଙ୍ଗିତ ଭଳି ନାଟକ ପରିବେଷଣ କରାଯାଉଥିବା ଯୋଗୁଁ ଏହା ସାଧାରଣଜନତାଙ୍କ ଉପରେ କୁପ୍ରଭାବ ପଡୁଥିବା ମଧ୍ୟ ଅଭିଯୋଗ ହେଉଛି । ଅତୀତରେ ଦଣ୍ଡନାଚର ଗୁରୁତ୍ୱ ଯେଭଳି ଥିଲା ତାହାର ପୁନରୁଦ୍ଧାର ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ସାମ୍ପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି । ଅତୀତରେ ଦଣ୍ଡନାଚ ସମୟରେ ରାତ୍ରରେ ମନୋରଞ୍ଜନ ପାଇଁ ଚଢେୟା, ଚଢେୟାଣୀ, ଶିବପୁରାଣ ଓ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ କରାଯାଉଥିଲା ବେଳେ ବର୍ତ୍ତମାନ ଅଧିକାଂଶ ଦଣ୍ଡଦଳରେ ରେକର୍ଡ ଡ୍ୟାନସ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସଂସ୍କୃତି ସଂପନ୍ନ ଦଣ୍ଡଯାତ୍ରାରେ ରେକର୍ଡ ଡ୍ୟାନ୍ସ ନାମରେ ଅପସଂସ୍କୃତିର ଅନୁପ୍ରବେଶକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।