୫ରେ କଟକ ପଥ ମହୋତ୍ସବ

କଟକ, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ମିଳିତ ସହଯୋଗରେ ରବିବାର କଟକ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପଥ ମହୋତ୍ସବ। ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ‘୧୮ତମ ପ୍ରବାସୀ ଭାରତୀୟ ଦିବସ’ ୨୦୨୫। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଆସନ୍ତା ୫ତାରିଖରେ କଟକ ମହାନଗର ନିଗମରେ ଆୟୋଜିତ ହେବ ପଥ ମହୋତ୍ସବ।ଏହି ମହୋତ୍ସବ ପ୍ରାତଃ ୭.୩୦ରୁ ଆରମ୍ଭ ହୋଇ ସକାଳ ୧୦.୩୦ରେ ସାରିବା ପାଇଁ ଯୋଜନା କରାଯାଇଛି । ନ୍ୟାୟ ସଂଗ୍ରହାଳୟ ଠାରୁ ଆରମ୍ଭ ହୋଇ କଟକ ବାରବାଟୀ ଦୁର୍ଗ ଫାଟକ ପର୍ଯ୍ୟନ୍ତ ଏହି ପଥ ମହୋତ୍ସବ ଅନୁଷ୍ଠିତ ହେବ । ଉକ୍ତ ମହୋତ୍ସବରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯିବା ସହ ନୃତ୍ୟ କଳାକାରମାନଙ୍କ ଦ୍ବାରା ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ। ଏହି ଅବସରରେ କଟକ ସ୍ଥିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇ ଯୋଗଦାନକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ମହୋତ୍ସବରେ କଟକ ମହାନଗର ନିଗମ ପକ୍ଷରୁ ମୋ ଖତ ଓ ଚାରା ବିକ୍ରୟ କେନ୍ଦ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ଏକ ମୁକ୍ତ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର, କୁସ୍ତି ମହାସଂଘ ଦ୍ବାରା ଏକ କୁସ୍ତିର ପ୍ରଦର୍ଶନ ଏବଂ ପ୍ରସିଦ୍ଧ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ପ୍ରଦର୍ଶନ କରାଯିବ । ଏତଦବ୍ୟତୀତ ମହୋତ୍ସବରେ ଯୋଗ, ସ୍କେଟିଂ ,ଲୋକ ନୃତ୍ୟ , ପଥପ୍ରାନ୍ତ ନାଟକ , ଜୁମବା ନୃତ୍ୟ , ରଙ୍ଗୋଲୀ , ପବ୍ଲିକ ୱାଲ ପେଣ୍ଟିଂ, ଫେସ ପେଣ୍ଟିଂ, ସେଲଫି ବୁଥ , ସ୍ବାକ୍ଷର ଅଭିଯାନ ଏବଂ ରାଲି ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏସମସ୍ତ କାର୍ଯ୍ୟକ୍ରମ ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ସମୂହ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଅପରାହ୍ନ ୨.୩୦ ଘଟିକାରେ ବାଲିଯାତ୍ରା ପଡ଼ିଆଠାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଉତ୍ସବ , ଗୁଡ଼ି ଉଡା ଉତ୍ସବ କର୍ମଶାଳା, ଟ୍ରାନ୍ସଜେଣ୍ଡର ଏବଂ ବସ୍ତି ଶିଶୁଙ୍କ ଦ୍ଵାରା ଏକ ଫାଶନ ସୋ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ