ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମବିକାଶ’ ଦ୍ୱାରା ଆତ୍ମନିର୍ଭରଶୀଳ ଯୋଜନା
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ଠାରେ ଥିବା ‘ଗ୍ରାମବିକାଶ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରାୟଗଡ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଆତ୍ମନିର୍ଭରଶୀଳ ଯୋଜନା ଚାଲୁ ରହିଛି । ସୂଚନା ଯୋଗ୍ୟ ଯେ, ଉକ୍ତ ଅନୁଷ୍ଠାନ ଜିଲ୍ଲାରେ ସ୍ଥାପନ ହେବା ପରଠାରୁ କଇଁପୁର ଅଞ୍ଚଳରେ ବେତ କାମ ଆରମ୍ଭ କରାଯାଇ ଦେଶ ବିଦେଶକୁ ରପ୍ତାନୀ କରିପାରିଥିଲା । ଫଳରେ ସେଠାକାର ଅଞ୍ଚଳର ବେକାର ଯୁବକଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇ ରୋଜଗାରକ୍ଷମ ହୋଇପାରିଥିଲେ । ଏହା ସହ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ଦିଗରେ ବିଦ୍ୟାଳୟ ସ୍ଥାପନ, ଲୋକଙ୍କ ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷିପାଇଁ ଜଳସେଚନ ଆଦି କାର୍ଯ୍ୟକ୍ରମ ନିମନ୍ତେ କାମ କରିବା ଓ ବ୍ୟାପକ ସଚେତନତା ସୃଷ୍ଟି କରି ବନଘେରାରେ ରହିଥିବା କଇଁପୁର ପରି ଗ୍ରାମାଞ୍ଚଳ ଗୁଡିକରେ ବେଶ୍ ସହାୟକ ହୋଇପାରିଥିଲା । ବର୍ତ୍ତମାନ ସଂସ୍ଥା ପକ୍ଷରୁ ବ୍ଲକର କଣ୍ଟାଗାଁ ଠାରେ ଧୂପକାଠି, ଲାଣ୍ଡୁସାହି ଗ୍ରାମ ଠାରେ ପୃଷ୍ଟିକର ଖାଦ୍ୟ ମାଣ୍ଡିଆରେ ତିଆରି ହେଉଥିବା ଚକୁଳି, ମାଣ୍ଡିଆ ଲଡୁ ଆଦି ପ୍ରସ୍ତୁତ ପ୍ରଣାଳୀ, ଆର୍ଚ୍ଚିଲିଙ୍ଗି ଗ୍ରାମ ଠାରେ ସାବୁନ ତିଆରି କରିବା ପ୍ରଣାଳୀ ଶିକ୍ଷା ଦେବା ସହ ଉତ୍ପାଦନ କରିବା ଆଦି କାର୍ଯ୍ୟକ୍ରମ ଜାରି ରଖି ବେକାର ଯୁବକ ଯୁବତୀ ତଥା ଗ୍ରାମାଞ୍ଚଳବାସୀଙ୍କୁ ରୋଜଗାରକ୍ଷମ କରାଇବା ଭଳି ପନ୍ଥା ଅବଲମ୍ବନ କରାଉଛି । ଗ୍ରାମବିକାଶ ସଂସ୍ଥାର ନିର୍ଦ୍ଦେଶକ ଟି.ଏଲ୍. ଜନ୍ସେନ୍ ଏହି ସବୁକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିବା ବେଳେ ସଂସ୍ଥାର ଜିଲ୍ଲା ପରିଚାଳକ ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରଶିକ୍ଷକ ବିଜୟକୁମାର ସାହୁ ପ୍ରମୁଖ ଲୋକଙ୍କୁ ଚିହ୍ନଟ କରି ଆତ୍ମନିର୍ଭରଶୀଳ ପରି ପ୍ରଶିକ୍ଷଣ ଓ ଉତ୍ପାଦନ କରିବାରେ ସହାୟତା କରୁଛନ୍ତି ।


