ଅଜିମ୍ ପ୍ରେମ୍ଜୀ ଦେଶର ସବୁଠୁ ଦାନୀ ବ୍ୟକ୍ତି ଭାବେ ପରିଗଣିତ
ନୂଆଦିଲ୍ଲୀ: ଆଇଟି କମ୍ପାନି ୱିପ୍ରୋ ମୁଖ୍ୟ ଅଜିମ୍ ପ୍ରେମ୍ଜୀ ଦେଶର ସବୁଠୁ ଦାନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି। ସେ ଦିନକୁ ହାରାହାରି ୨୨ କୋଟି ଟଙ୍କା ଦାନ କରିଛନ୍ତି। ଗତ ଆର୍ଥିକ ବର୍ଷରେ ସେ ୭୯୦୪ କୋଟି ଟଙ୍କା ଦାନ କରି ଭାରତର ବଦାନ୍ୟ ବ୍ୟକ୍ତି ତାଲିକାର ଶୀର୍ଷରେ ରହିଛନ୍ତି। ହୁରୁନ୍ ରିପୋର୍ଟ ଇଣ୍ଡିଆ ଏବଂ ଏଡେଲଗିଭ୍ ଫାଉଣ୍ଡେସନ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଏହା ପୂର୍ବବର୍ଷ ଦେଶର ବଦାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଏଚସିଏଲ ମୁଖ୍ୟ ଶିବ ନାଦର ରହିଥିଲେ। ଏବେ ତାଙ୍କୁ ପ୍ରେମ୍ଜୀ ଟପିଯାଇଛନ୍ତି। ଗତ ଆର୍ଥିକ ବର୍ଷରେ ଶ୍ରୀ ନାଦର ୭୯୫ କୋଟି ଟଙ୍କା ଦାନ କରିଛନ୍ତି। ତେବେ ୨୦୧୮-୧୯ ଆର୍ଥିକ ବର୍ଷରେ ତାଙ୍କ ଦାନ ପରିମାଣ ୮୨୬ କୋଟି ଟଙ୍କା ଥିବାବେଳେ ପ୍ରେମ୍ଜୀଙ୍କ ଦାନ ରାଶି ୪୨୬ କୋଟି ଟଙ୍କା ରହିଥିଲା। ତେବେ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ ମୁକେଶ ଅମ୍ବାନି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ସେ ଗତ ଆର୍ଥିକ ବର୍ଷରେ ୪୫୮ କୋଟି ଟଙ୍କା ଦାନ କରିଛନ୍ତି। ୨୦୧୮-୧୯ରେ ତାଙ୍କ ଦାନ ପରିମାଣ ୪୦୨ କୋଟି ଟଙ୍କା ରହିଥିଲା। ୧୦ କୋଟି ଟଙ୍କାରୁ ଅଧିକ ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୧୮-୧୯ ଆର୍ଥିକ ବର୍ଷରେ ୭୨ ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ୭୮କୁ ବୃଦ୍ଧି ପାଇଛି। ଏଟିଇ ଚନ୍ଦ୍ରା ଫାଉଣ୍ଡେସନର ଅମିତ ଚନ୍ଦ୍ରା ଏବଂ ଅର୍ଚନା ଚନ୍ଦ୍ରା ଏକମାତ୍ର ପେସାଦାର ପରିଚାଳକ ଭାବେ ୨୭ କୋଟି ଟଙ୍କା ଦାନ କରି ଏହି ତାଲିକାରେ ସ୍ଥାନ ପାଇପାରିଛନ୍ତି। ଇନଫୋସିସ୍ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ୧୫୯ କୋଟି, ଏସ୍ ଗୋପାଳନ ୫୦ କୋଟି ଏବଂ ଏସ ଡି ଶିବୁଲାଲ ୩୨ କୋଟି ଟଙ୍କା ଦାନ କରି ବଦାନ୍ୟ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଚନ୍ତି। ୫ କୋଟି ଟଙ୍କାରୁ ଅଧିକ ଦାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦୯ ଜଣ ବ୍ୟକ୍ତି ରହିଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଥିବାବେଳେ ୪୭ କୋଟି ଟଙ୍କା ଦାନ କରି ରାହିଣୀ ନିଲେକାନି ଶୀର୍ଷରେ ରହିଛନ୍ତି।


