ଅନନ୍ତ ହେଗେଡ଼ଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା କରାଯିବ : ଯୁବ ଅଭିଯାନ

ଭୁବନେଶ୍ୱର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ ହେଗେଡ଼ ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ଡ଼୍ରାମା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱକୁ ବ୍ରିଟିଶ ସହାୟତାକାରୀ ଭାବେ ଦର୍ଶାଇ ଯେଉଁ ବିବୃତ୍ତି ଦେଇଛନ୍ତି ତଦ୍ଦ୍ୱାରା ସେ ନିଜକୁ ଜଣେ ଦେଶଦ୍ରୋହୀ ଭାବେ ପ୍ରମାଣିତ କରିଛନ୍ତି ବୋଲି ପ୍ରଗତିଶୀଳ ଯୁବ ସଂଗଠନ ‘ଯୁବ ଅଭିଯାନ, ଓଡ଼ିଶା’ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏଥିପୂର୍ବରୁ ଶ୍ରୀ ହେଗେଡ଼ ଖୋଲାଖୋଲି କହିଥିଲେ ଯେ, ଆମେ ସମ୍ବିଧାନ ବଦଳାଇବାକୁ ହିଁ ସରକାରକୁ ଆସିଛୁ । ଧାରବାହିହକ ଭାବେ ଏଭଳି ବିଭ୍ରାନ୍ତିକର ଓ ବିକୃତ ବିବୃତ୍ତି ଦେଇ ସେ ନିଜକୁ ଜଣେ ଅଭ୍ୟାସଗତ ବିଶୃଙ୍ଖଳାକାରୀ ଭାବେ ପ୍ରମାଣିତ କରିଛନ୍ତି ।  ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କାଣିଚାଏ ସୁଦ୍ଧା ଅବଦାନ ନଥିବା ବରଂ ଏହାକୁ ବିରୋଧ କରି ତତ୍କାଳୀନ ବ୍ରିିଟିଶ ସାମ୍ରାଜ୍ୟବାଦୀ ଶକ୍ତିର ପଦ ଲେହନ କରୁଥିବା ଶକ୍ତି, ବିଚାର ଓ ସଂଗଠନର ଦାୟାଦ ଭାବେ ହୁଏତ ସେ ଜାଣିଶୁଣି ଏଭଳି ବିଭ୍ରାନ୍ତି ସୃଷ୍ଟି କରିବାର ଉଦ୍ୟମ କରୁଥାଇପାରନ୍ତି, ମାତ୍ର ଏହା ଆଦୌ ସଫଳ ହୋଇପାରିବ ନାହିଁ । ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ତିତୀକ୍ଷା ସମ୍ପର୍କରେ ଲେଶ ମାତ୍ର ଜ୍ଞାନ ନଥିବା ଏଭଳି ବ୍ୟକ୍ତିଙ୍କ ବିଷାକ୍ତ ବିବୃତ୍ତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଘୋର ଅପମାନ ଏବଂ ଅକ୍ଷମଣୀୟ ଅପରାଧ । ଦୁଃଖର କଥା ସମ୍ବିଧାନ ନାମରେ, ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଉଥିବା କିଛି ଦୃଷ୍ଟବୁଦ୍ଧି ସମ୍ପନ୍ନ ନେତା ନାଗପୁରସ୍ଥିତ ଗୈରୀକ ଗବେଷଣାଗାର ଦ୍ୱାରା ପ୍ରସ୍ତୁତ ଏହିଭଳି ମିଥ୍ୟା ଷଡ଼ଯନ୍ତ୍ରର ପ୍ରଚାରକ ସାଜିଛନ୍ତି । ଏଭଳି ଔଦ୍ଧତ୍ୟକୁ ଦେଶର ଯୁବସମାଜ ଏବଂ ପ୍ରତିଟି ଚିନ୍ତାଶୀଳ ଦେଶପ୍ରେମୀ ଆଦୌ ବରଦାସ୍ତ କରିବେ ନାହିଁ । ଭାରତୀୟ ଜନତା ପାର୍ଟି ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ତୁରନ୍ତ ସ୍ପଷ୍ଟ କରିବା ସହ ଅଭ୍ୟାସଗତ ବିଭ୍ରାନ୍ତକାରୀ ଭାବେ କୁଖ୍ୟାତ ଶ୍ରୀ ହେଗେଡ଼ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେଲେ ଏମାନଙ୍କ ବିରୁଦ୍ଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସାମାଜିକ ଭାବେ ବାସନ୍ଦ କରିବାକୁ ଘୋଷଣା କରାଯିବ ବୋଲି ଆଜି ସଂଗଠନର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଜରୁରୀ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପାର୍ଥସାରଥୀ ଜେନା, ଅମିୟ ପାଣ୍ଡବ, ଇଂ ସାରଦା ପ୍ରସନ୍ନ ସ୍ୱାଇଁ, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରତାପ ସାହୁ, ସୁଜାତା ବେହେରା, ସଞ୍ଜୟ କୁମାର ପରିଡ଼ା, ମାନସ ପଟ୍ଟନାୟକ, ପଦ୍ମଲୋଚନ ମହାପାତ୍ର, ବିଶ୍ୱରଞ୍ଜନ ମହାପାତ୍ର, ମାନସ ସାହୁ, ବିଶ୍ୱନାଥ ସୋରେନ, ରମାକାନ୍ତ ବାରିକ, ନିମାଇଁ ବାରିକ ପ୍ରମୁଖ କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ