ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେବ ଓଡ଼ିଶା
ନୂଆଦିଲ୍ଲୀ : ଆସନ୍ତା ମାସ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଗତି ମୈଦାନରେ ୩୯ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍-୨୦୧୯) ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ଭାଗ ନେବ । ବିଗତ ବର୍ଷମାନଙ୍କ ଭଳି ମେଳାରେ ଓଡ଼ିଶାର ପ୍ରଗତି, ଶିଳ୍ପ, ବାଣିଜ୍ୟ, ସଂସ୍କୃତି ଓ କଳାକୁ ଉପସ୍ଥାପନ କରାଯିବ । ଓଡ଼ିଶା ସମେତ ଦେଶର ୨୮ ରାଜ୍ୟ ଓ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଭାଗ ନେବେ ବାଲି ଆଇଟିପିଓ ର ସୂତ୍ରରୁ ଜଣାପଡ଼ିଛି । ପ୍ରଗତି ମୈଦାନର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ୨୩ ହଜାର ବର୍ଗ ମିଟର ଏରିଆରେ ମେଳାର ଆୟୋଜନ କରାଯାଉଛି । ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ରାଜ୍ୟମାନଙ୍କର କୌଣସି ସ୍ୱତନ୍ତ୍ର ପାଭିଲିୟନ ଦେଖିବାକୁ ମିଳିବ ନାହିଁ । ୩ ରୁ ୪ ହଲ ଭିତରେ ମେଳାର ଆୟୋଜନ ହେବ ଏବଂ ରାଜ୍ୟମାନଙ୍କ ସେମାନଙ୍କର ଆବଶ୍ୟକ ଅନୁସାରେ ସ୍ଥାନ ଆବଣ୍ଟନ କରାଯିବ । ଚଳିତ ବର୍ଷର ଆଇଆଇଟିଏଫ୍-୨୦୧୯ରେ ୨୦ ଦେଶ ମଧ୍ୟ ଭାଗ ନେଉଛନ୍ତି । ଆଫଗାନିସ୍ତାନ ପାର୍ଟନର ଦେଶ ରୂପେ ଏବଂ ଦକ୍ଷିଣ କୋରିଆ ଫାକସ୍ ଦେଶ ରୂପେ ମେଳାରେ ଯୋଗ ଦେବେ । ଅପରପକ୍ଷେ ଝାଡ଼ଖଣ୍ଡ ଓ ବିହାର ଫାକସ୍ ରାଜ୍ୟ ରୂପେ ମେଳାରେ ଭାଗ ନେବେ ବୋଲି ଆଇଟିପିଓ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି । ଆଇଆଇଟିଏଫ୍-୨୦୧୯ର ଥିମ୍ ରହିଛି “ଇଜ୍ ଅଫ୍ ଡୁଇଂ ବିଜିନେସ୍’ । ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମେଳା ବ୍ୟବସାୟ ପାଇଁ ଖୋଲା ରହିବ ଏବଂ ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ମେଳାକୁ ପରିଦର୍ଶନ କରିବେ । ଆଇଆଇଟିଏଫ୍-୨୦୧୯ରେ ଓଡ଼ିଶା ଦିବସ ମଧ୍ୟ ପାଳନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଜଣା ପଡ଼ିଛି ।


