‘ଅପେକ୍ଷା’

ବାଲେଶ୍ୱର, (ସରୋଜ ପଣ୍ଡା) :-ମୁଖ୍ୟମନ୍ତ୍ରୀ କଳାକାର ଭାତ୍ତା ଆବେଦନକରୀଙ୍କୁ ନେଇ ବାଲେଶ୍ୱର ଜିଲାରେ ୧୦ ତାରିଖରୁ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଚାଲିଛି କଳାକାର ସାମର୍ଥ୍ୟ ପରୀକ୍ଷା ବା ମନୋନୟନ ପ୍ରକ୍ରିୟା (ଅଡ଼ିସନ) । ତେବେ ଏଠାରେ ଅବ୍ୟବସ୍ଥା ମଧ୍ୟରେ ଚୟନ ପ୍ରକ୍ରିୟା ହେଉଛି ବୋଲି ବାରମ୍ବାର ଉଠୁଥିବା ଅଭିଯୋଗକୁ ନେଇ ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ସ୍ପଷ୍ଟୀକରଣ ରଖିଛନ୍ତି । ବ୍ଲକ ସ୍ତରରେ ଏହି ପ୍ରକ୍ରିୟା କରିବା ପାଇଁ କେତେକ କଳାକାରଙ୍କ ଦାବି ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ୨୦୧୮ ମସିହାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଅନୁସାରେ ତଥା ସରକାରୀ ନିମୟ ଭିତ୍ତିରେ ଏହି ପ୍ରକ୍ରିୟା ହେଉଥିବା ସେ ସ୍ପଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ ଜିଲାର ୧୨ ଗୋଟି ବ୍ଲକ ଓ ୩ ଗୋଟି ପୌରପାଳିକା ଓ ୨ ଗୋଟି ଏନଏସିରୁ ମୋଟ ୭,୮୬୬ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ । ସେଥିରୁ ୪୪୧ଟି ଦରଖାସ୍ତ ବିଭିନ୍ନ କାଗଜପତ୍ର ଅଭାବ ପାଇଁ ଯାଞ୍ଚରେ ଅସିଦ୍ଧ କରାଯାଇଥିଲା । ପରେ ଜିଲାସ୍ତରୀୟ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଗୋଟିଏ ସ୍ଥାନରେ ଅଡ଼ିସନ କରିବା ପାଇଁ ବ୍ୟବସ୍ଥା ହୋଇଥିଲା ।ଏହି ଚୟନ ପ୍ରକ୍ରିୟା ଆୟୋଜନ ପାଇଁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ବିଭାଗ ପକ୍ଷରୁ ମିଳିନାହିଁ । ସୀମିତ ଖର୍ଚ୍ଚରେ ଓ ଗୋଟିଏ ସ୍ଥାନରେ ଏହାକୁ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତି ବ୍ଳକରେ ଏହିଭଳି ଚୟନ କାର୍ଯ୍ୟକ୍ରମ ଆୟୋଜନ କରିବା କେବେ ସମ୍ଭବ ନୁହେଁ । ଏହା ବ୍ୟତୀତ ଚୟନ ପ୍ରକ୍ରିୟାର ୩ ବିଚାରକଙ୍କ ଦକ୍ଷତା ବାବଦରେ ପ୍ରଶ୍ନ ଉଠାଇବା କେତେ ପ୍ରାସଙ୍ଗିକ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଛନ୍ତି । ବିଚାରକ ଭାବେ ଦାୟିତ୍ୱ ତୁଲାଉଥିବା ଓଡ଼ିଶାର ଆଗାଧାଡ଼ିର ଯାତ୍ରାକଳାକାର ତଥା ରାଜ୍ୟ ଯାତ୍ରାକଳାର ସଂଘର ସମ୍ପାଦକ ସମରେନ୍ଦ୍ର କୁମାର ପଣ୍ଡା (ବାପି ପଣ୍ଡା), ବିଶିଷ୍ଟ ପାଲାଗାୟକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ତଥା ଓଡ଼ିଶା ପାଲା ଗାୟକ ସଙ୍ଘର ରାଜ୍ୟ ଉପ-ସଭାପତି ଜ୍ଞାନପ୍ରିୟ କାନୁନଗୋ ଏବଂ ଭୁବନେଶ୍ୱର ‘ଥିଏଟର ଫର ଏଜୁକେସନ ଏୱାରନେସ ମେମୋରିଆଲ’ର ପରିଚାଳନା ନିର୍ଦ୍ଦେଶକ ଶତ୍ରୁଘ୍ନ ମଲିକ ପ୍ରମୁଖଙ୍କ ଦକ୍ଷତାକୁ ନେଇ ଉଠାଯାଉଥିବା ପ୍ରଶ୍ନ ଆଦୌ ଶୋଭନୀୟ ନୁହେଁ ବୋଲି ଶ୍ରୀ ସେଠୀ ଦୁଃଖର ସହ ପ୍ରକାଶ କରିଛନ୍ତି । ଶତ ପ୍ରତିଶତ ସ୍ୱଚ୍ଛତା ଭିତ୍ତିରେ ଚାଲିଥିବା ଏହି ପ୍ରକ୍ରିୟାକୁ ନେଇ ଅଯୌକ୍ତିକ ଦାବି ରଖିବା ଉଚିତ ନୁହେଁ । ବାଲେଶ୍ୱର ଭଳି କଳା ସମୃଦ୍ଧ ତଥା ସଂସ୍କୃତି ସମ୍ପନ୍ନ ଜିଲାରେ କଳାକାର ଚୟନ ପ୍ରକ୍ରିୟା ବାବଦରେ ଭିତ୍ତିହୀନ ଆରୋପ କରା ନ ଯାଉ ବୋଲି ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ