ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା
ବାଲେଶ୍ୱର, (ସରୋଜ ପଣ୍ଡା): ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜର ଦିଗଦର୍ଶକ। ସେମାନଙ୍କ ଅଭିଜ୍ଞତା ହିଁ ବର୍ତ୍ତମାନ ପିଢ଼ିକୁ ସଠିକ୍ ମାର୍ଗ ଦର୍ଶାଇ ପାରିବ ବୋଲି ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲାସ୍ତରୀୟ ସାଧାରଣ ସଭାରେ ଅତିଥିଭାବେ ଯୋଗ ଦେଇ ଶୁକ୍ରବାର ଦିନ ବାଲେଶ୍ୱରର ବିଧାୟକ ମାନସ କୁମାର ଦତ୍ତ ଏହି ମନ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠନାଗରିକମାନଙ୍କ ପାଇଁ ଜିଲ୍ଲାସ୍ତରରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ସେ ବିଧାୟକଙ୍କ ପାଣ୍ଠିରୁ ଅର୍ଥ ପ୍ରଦାନ ନିମିତ୍ତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠାତା ସଂପାଦକ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ବେହେରାଙ୍କୁ ମଞ୍ଚ ପକ୍ଷରୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳା ମନ୍ଦିର ପ୍ରେକ୍ଷାଳୟରେ ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ଦାମୋଦର ନାୟକ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଶାଖାସ୍ତରୀୟ ସଂଗଠନରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ସଂପାଦକୀୟ ବିବରଣୀ ଓ ଆୟବ୍ୟୟର ହିସାବ ଆଗତ କରିଥିଲେ। ଉପଦେଷ୍ଟା ମଣ୍ଡଳୀରୁ ଗିରିଶ ଚନ୍ଦ୍ର ଦାସ, କମଳାକାନ୍ତ ବେହେରା, ସୀତାରାମ ପ୍ରଧାନ ଓ ବିପ୍ଳବ କୁମାର ମହାନ୍ତି ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ବିଭିନ୍ନ ବ୍ଲକ୍ ଓ ଶଶଖା କମିଟି ପକ୍ଷରୁ ବିଧାନ ଚନ୍ଦ୍ର ରାୟ, କୁମୁଦ ରଞ୍ଜନ ଗିରି, ପ୍ରଶାନ୍ତ କୁମାର ବରାଳ, ଶାନ୍ତନୁ କୁମାର ବେହେରା, ବୀରେନ୍ଦ୍ର ନାୟକ, ଡ. ଅରବିନ୍ଦ ବେଜ, ନିତ୍ୟାନନ୍ଦ କର, ବସନ୍ତ ମହାପାତ୍ର ଓ ବିଜୟ କୁମାର ନନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦୁଃସ୍ଥ ବରିଷ୍ଠ ନାଗରିକମାନଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ରେଳ ଟିକେଟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରିହାତିର ପୁନଃ ପ୍ରଚଳନ, ଜିଲ୍ଲା ଓ ବ୍ଲକ୍ ସ୍ତରରେ କମ୍ୟୁନିଟି ସେଣ୍ଟର ନିର୍ମାଣ, ସବ୍ଡିଭିଜନ୍ସ୍ତରୀୟ ବରିଷ୍ଠ ନାଗରିକ ଟ୍ରିବ୍ୟୁନାଲ୍କୁ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ଓ ବ୍ଲକ୍ସ୍ତରୀୟ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କୁ ସାମିଲ କରିବା, ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ପାଇଁ ପ୍ରାଥମିକତା ଦେବା ଓ ସମନ୍ୱିତ ବହୁମୁଖି ପ୍ରକଳ୍ପ (ଆଇ.ଆଇ.ସି) ନିର୍ମାଣ ପାଇଁ ପୂର୍ବନିର୍ଦ୍ଧାରିତ ସ୍ଥାନରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପ୍ରଭୃତି ଦାବି ଉପରେ ପ୍ରତିନିଧିମାନେ ସେମାନଙ୍କ ଯୁକ୍ତି ଉପସ୍ଥାପିତ କରିଥିଲେ। ଆସନ୍ତା ଡିସେମ୍ବର ମାସ ୨ୟ ସପ୍ତାହରେ ଏହିସବୁ ଦାବିକୁ ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ପାଇଁ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଦେଇଥିବା ପ୍ରସ୍ତାବ ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ‘ହେଲ୍ପ ଏଜ୍ ଇଣ୍ଡିଆ’ର ରାଜ୍ୟ ସଂଯୋଜିକା ଦେବଶ୍ରୀ ବ୍ରହ୍ମା ୨୦୦୭ ମସିହାରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାର ଓ ୨୦୦୯ରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନଗୁଡ଼ିକ ଏବଂ ‘ସାଇବର ଫ୍ରଡ଼୍’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ୟାମସୁନ୍ଦର ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ବଂଶୀଧର ନାୟକ ପ୍ରମୁଖ ସହଯୋଗ କରିଥିଲେ। କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଘୋଷ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


