ଅଭିଶପ୍ତ ଗୁରୁବାର, ଏକା ଦିନରେ ଡ଼ାକ୍ତର, ଅଧ୍ୟାପକ ଓ କଲେଜ କର୍ମଚାରୀଙ୍କ ମୃତ୍ୟୁ : ଅଂଚଳବାସୀ ଆତଙ୍କିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ସ୍ଥାନୀୟ ସହରବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଗୁରୁବାର ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ସତେଯେପରିକି ଅଭିଶପ୍ତ ହୋଇପଡ଼ିଥିଲା ।ଏକା ଦିନରେ ଜଣେ ଡ଼ାକ୍ତର, ଅଧ୍ୟାପକଙ୍କ ସମେତ ଜଣେ କଲେଜ କର୍ମଚାରୀଙ୍କ ମୃତ୍ୟୁ ପରେ ଅଂଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।
ପ୍ରକାଶ ଯେ, ଗୁରୁବାର ସକାଳେ ହିଞ୍ଜିଳିକାଟୁ ପୌରାଂଚଳ ବାସିନ୍ଦା ତଥା କୁକୁଡ଼ାଖଣ୍ଡି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଅନିଲ କୁମାର ପାତ୍ର ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ରୋଗୀଙ୍କ ଭିଡ଼ ଯୋଗୁଁ ଲମ୍ବା ଲାଇନରେ ଅପେକ୍ଷା କରିଥିବା ବେଳେ ମୁଣ୍ଡ ଘୁରାଇବାରୁ ତଳେ ପଡ଼ି ଯାଇଥିଲେ । ସେଠାରେ ଡ଼ାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ କିଛି ଦିନ ଧରି କରୋନାରେ ସଂକ୍ରମିତ ରହି କୋଭିଡ଼-୧୯ ହସପିଟାଲରେ ଚିକିତ୍ସିତ ହେଉଥିବା ପୋଚିଊିମା କନିଷ୍ଟ ମହାବିଦ୍ୟାଳୟର କର୍ମଚାରୀ ତଥା ପୋଚିଲିମା ଗ୍ରାମ ପଂଚାୟତର ପୂର୍ବତନ ସରଂପଚଙ୍କ ସ୍ୱାମୀ ଏସ.ରାଜାରାଓ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିଲା । ସେହିପରି ସନ୍ଧ୍ୟାରେ ଅଂଚଳର ଜଣାଶୁଣା ଚିକିତ୍ସକ ଡ଼ାକ୍ତର ବୃନ୍ଦାବନ ପାଢି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ସମୟରେ ସନ୍ଧ୍ୟାରେ ମୃତ୍ୟୁ ଘଟିଛି । ଏକା ଦିନରେ ସ୍ଥାନୀୟ ଅଂଚଳର ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ଅଂଚଳରେ ଶୋକର ଛାୟା ଖେଳିଯିବା ସହ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ବହୁ କରୋନା ସଂକ୍ରମିତ ରହିଥିଲେ ମଧ୍ୟ ସଂକ୍ରମିତଙ୍କ ତଥ୍ୟ ସାର୍ବଜନୀନ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ବୁଧବାର ମଧ୍ୟ ସ୍ଥାନୀୟ ପୌରାଂଚଳର ଜଣେ ଆଇନଜୀବି ସ୍ୱପ୍ନରଞ୍ଜନ ପାଣିଗ୍ରାହୀ ବ୍ରହ୍ମପୁର କୋଭିଡ଼-୧୯ ହସପିଟାଲରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିବା ବେଳେ ଭୂବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ସମୟରେ ବସନ୍ତ ସାହୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟଇଥିଲା ।


