ଅମରେନ୍ଦ୍ରଙ୍କୁ ଅଭିନନ୍ଦନ ଓ ପାଇକ ଉନ୍ନୟନ ପରିଷଦ ଗଠନ ଦାବୀ
ଭୁବନେଶ୍ୱର : ସ୍ୱତନ୍ତ୍ର ଭାବରେ ପାଇକ ଉନ୍ନୟନ ପରିଷଦ ଗଠନ କରିବାକୁ ଦାବି ଜଣାଇଲା ପାଇକ ମହାସଂଘ । ସମ୍ପ୍ରତି ନୂତନ ଭାବରେ ନିଯୁକ୍ତ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଅଭିନନ୍ଦନ ଜଣାଇବା ଅବସରରେ ସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଏହା ପ୍ରକାଶ କରିଛନ୍ତି । ଜଗତସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ପାଲଟାସିଂହ ପାଇକମାନଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ଅର୍ଥନୈତିକ ଉନ୍ନତି ଘଟିନାହିଁ । ଓଡ଼ିଶା ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ପାଇକ ସମ୍ପ୍ରଦାୟର । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶିକ୍ଷା ଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏମାନେ ଅବହେଳିତ । ପାଇକ ଅଖାଡ଼ା ଆଜି ଲୋପ ପାଇଗଲାଣି । ରାଜ୍ୟ ସରକାର ତୁରନ୍ତ ପାଇକ ଆଖଡ଼ାକୁ ସ୍କୁଲ୍, କଲେଜରେ ସ୍ଥାନ ଦେଇ ଏହାକୁ ସ୍କାଉଟ୍ ଓ ଏନ୍.ସି.ସି. ଭଳି ମାନ୍ୟତା ଦେବାକୁ ଦାବୀ କରାଯାଇଥିଲା । ମୁଖ୍ୟବକ୍ତା ପ୍ରଫେସର ଗାୟନ ସାମଲ ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତାମ ଦେବାକୁ ଦାବି କରିଥିଲେ । ଏଥିରେ ଯୁବ ସଂଗଠକ ଯୁବନେତା ଅମରେନ୍ଦ୍ର ଦାସ ନୂତନ ଭାବରେ ନିଯୁକ୍ତ କାଜୁ ନିଗମର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପାଇକ ଆଖଡ଼ାର ଉନ୍ନତି ଓ ପାଇକ ଉନ୍ନୟନ ପରିଷଦ, ପାଇକ ଏକାଡ଼େମୀ ଗଠନ ଦିଗରେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ ବଳିୟାରସିଂହ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକଗୁରୁର ଭାସ୍କର ସୁନ୍ଦରାୟ, ରାଜ୍ୟ ସଂଯୋଜକ କେଦାର ଦାସ ପ୍ରମୁଖ ଯୋଗଦାନ କରି ସେଠାରେ ପାଇକ ଗୁରୁମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଯୁବ ସଂଗଠକ କାଜୁ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କୁ ଖଣ୍ଡା, ଉପଢୌକନ, ମାନପତ୍ର ଦେଇ ରାଜ୍ୟ ସଭାପତି ପାଲଟାସିଂହ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା ।


