‘ଅମ୍ଫନ’ରେ ୧୫୧ କିମି ରାସ୍ତା ନଷ୍ଟ

ଭୁବନେଶ୍ୱର: ବାତ୍ୟା ‘ଅମ୍ଫନ’ ଓଡ଼ଶାରୁ ଚାଲିଯାଇଥିଲେ ହେଁ ତାର ଛାପ କିନ୍ତୁ ଛାଡ଼ି ଦେଇଛି । ‘ଅମ୍ଫନ’ ପ୍ରଭାବରେ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଅଧିକାଂଶ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ପଡ଼ିଛି । ଏହାଛଡ଼ା ବାତ୍ୟା ଓ ବର୍ଷା ଯୋଗୁଁ ରାସ୍ତା ମଧ୍ୟ ନଷ୍ଟ ହୋଇଛି । ଏହା ଦ୍ୱାରା ମୋଟ ୧୫୧ କିମି ରାସ୍ତା ନଷ୍ଟ ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସର୍ବୋଚ୍ଚ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କୁ ଅବଗତ କରାଇଛନ୍ତି । ନଷ୍ଟ ହୋଇଯାଇଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଙ୍କା ଦରକାର ଥିବା ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି । ସେମିତି ଗଛ ସଫା ଓ ଆବର୍ଜନା ହଟାଇବାକୁ ୫୦ ଲକ୍ଷ ଟଙ୍କା ଦରକାର ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଗତକାଲି ଆକାଶମାର୍ଗରୁ ଅମ୍ଫାନର କ୍ଷୟକ୍ଷତି ଦେଖି ଓଡିଶା ପାଇଁ ପାଞ୍ଚ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦୀ । ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର କାମ ପାଇଁ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦୀ । ତେବେ ବାତ୍ୟା ବେଳେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ