ଅର୍ଥ ସାଜିଲା ପ୍ରତିବନ୍ଧକ ପ୍ରତିଷ୍ଠା ଦିବସ ପାଳିଲାନି କଲେଜ, ପାଳିଲା ପୁରାତନ ଛାତ୍ର ସଂଘ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଅଞ୍ଚଳର ପୁରାତନ ଶିକ୍ଷାନୁଷ୍ଠାନ କୋଣାର୍କ ଭଗବତୀ ମହାବିଦ୍ୟାଳୟ ୧୯୭୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ବେଳେ ୪୫ତମ ପ୍ରତିଷ୍ଠା ଦିବସ ସମାରୋହ ଆର୍ଥିକ ଦୁରାବସ୍ଥା ଯୋଗୁଁ କଲେଜ କର୍ତ୍ତୃପକ୍ଷ ପାଳନ କରିନଥିବା ବେଳେ ପରମ୍ପରା ବଜାୟ ରଖିବା ପାଇଁ ପୁରାତନ ଛାତ୍ର ସଂଘ ଏହି ଦିବସ ପାଳନ କରିବା ବିଷୟ ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି। ଖବରରୁ ପ୍ରକାଶ ଯେ ବିଗତ ଦୁଇବର୍ଷ ଧରି ବିଶ୍ବ ମହାମାରୀ କରୋନା ଯୋଗୁଁ ପ୍ରତିଷ୍ଠା ଦିବସ ପାଳନ କରାଯାଇନଥିଲା। ଚଳିତ ବର୍ଷ କୋଣାର୍କ ଭଗବତୀ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ସମାରୋହ କଲେଜ କାହିଁକି ପାଳନ ନ କରି ପୁରାତନ ଛାତ୍ର ସଂଘ ପକ୍ଷରୁ ପାଳନ କରାଯିବା ସମ୍ପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ନୟନ କୁମାର ଦତ୍ତଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେ କୁହନ୍ତି ମୁଁ କଲେଜ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ ନ ନେବା ପୁରୀ ଉପଜିଲ୍ଲାପାଳ ଓ ଉଚ୍ଚଶିକ୍ଷା ବିଭାଗକୁ ସତ୍ଯପାଠ ମାଧ୍ୟମରେ ଅବଗତ କରିଅଛି। କତୃପକ୍ଷ ମୋର କାଗଜପତ୍ର ଗ୍ରହଣ କରିଥିଲେ ମଧ୍ୟ ମୋତେ ଦାୟିତ୍ବରୁ ମୁକ୍ତ କରିନାହିଁ। ମୋର ଆର୍ଥିକ କ୍ଷମତା ନ ଥିବାରୁ କଲେଜ ପ୍ରତିଷ୍ଠା ଦିବସ ପାଳନ କରିପାରିଲାନି ବୋଲି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଲେଜ ପ୍ରତିଷ୍ଠା ଦିବସ ପାଳନ ନ କରିବା ଯୋଗୁଁ ପୁରାତନ ଛାତ୍ର ସଂଘ ପକ୍ଷରୁ ଭଗବତୀ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ପରମ୍ପରା ବଜାୟ ରଖିବା ପାଇଁ ପାଳନ କରାଯାଇଛି। ପୁରାତନ ଛାତ୍ର ସଂଘର ସଭାପତି ହୃଦାନନ୍ଦ ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ କଲେଜର ୪୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡଃ କାର୍ତ୍ତିକ ଚନ୍ଦ୍ର ଦାସ, କାମଚଳା ଅଧ୍ୟକ୍ଷ ନୟନ କୁମାର ଦତ୍ତ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, କଲେଜ ପ୍ରତିଷ୍ଠାତା ସଦସ୍ୟ ହରେକୃଷ୍ଣ ମହାନ୍ତି, ବଂଶୀଧର ବିଶ୍ବାଳ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାଜକିଶୋର ମହାପାତ୍ର ଓ କୋଣାର୍କ ଏନ୍ ଏ ସି ର ନବ ନିର୍ବାଚିତ କାଉନସିଲର ବିଶ୍ବମ୍ବର ବିଶ୍ବାଳ, ମମତା ଦାସ, ଦିଲ୍ଲୀପ ଦାସ, ନିହାର ରଞ୍ଜନ ବେଉରା, ସୌମ୍ୟରଂଜନ ସାହୁ ପ୍ରମୁଖ ଯୋଗଦେଇ କଲେଜର ବହୁବିଧ ଉନ୍ନତି ଆଣିବା ପାଇଁ କଲେଜ କର୍ତ୍ତୃପକ୍ଷ, ପୁରାତନ ଛାତ୍ର ଛାତ୍ରୀ, ଅଧ୍ୟୟନରତ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ନାଗରିକ ମାନଙ୍କ ସାମୁହିକ ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଅଧିକାଂଶ ଅଧ୍ୟାପକ ଓ କର୍ମଚାରୀ ଅନୁପସ୍ଥିତ ଥିବା ବେଳେ କାଁଭାଁ ଅଧ୍ୟାପକ, ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ କଲେଜ ପୁରାତନ ଛାତ୍ର ସଂଘର କୁନାଲ ପାତ୍ର, ପିନାକୀ ପ୍ରସାଦ ନାୟକ, ପ୍ରିୟ ରଂଜନ ରଥ, ପଂଚାନନ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ଅପରପକ୍ଷରେ କଲେଜ ଦାୟିତ୍ବରେ ଥିବା କାମଚଳା ଅଧ୍ୟକ୍ଷ ଶ୍ରୀ ଦତ୍ତ ପ୍ରତିଷ୍ଠା ଦିବସ ପାଳନ ଆର୍ଥିକ ଦୁରାବସ୍ଥା ଯୋଗୁଁ ଆୟୋଜିତ ନ ହୋଇ ପାରି ପୁରାତନ ଛାତ୍ର ସଂଘ ପକ୍ଷରୁ କରାଯାଇଛି ବୋଲି କହିବା ଘଟଣାକୁ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଶିକ୍ଷାପ୍ରେମୀ ମହଲରେ ନାପସନ୍ଦ କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ