ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଆନୁକୁଲ୍ୟରେ ଆସନ୍ତା ୨୨ ଜାନୁୟାରୀ ୨୦୨୪ ରେ ହେବାକୁ ଥିବା ଅଯୋଧ୍ୟାର ଭବ୍ୟ ମନ୍ଦିରରେ ଶ୍ରୀରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଶେଷ ପ୍ରସ୍ତୁତି ବୈଠକ ଆଜି ସକାଳ ୧୦ଟାରେ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି। ବୈଠକରେ ଭଗବାନ ଦାସ୍ ଖଣ୍ଡେଲଓ୍ବାଲ, ବିଶ୍ବହିନ୍ଦୁ ପରିଷଦ ରାଜ୍ୟ ସହ ସଭାପତି, ବିଷ୍ଣୁ ଚରଣ ନାୟକ ସହ ବିଭାଗ ପ୍ରଚାରକ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ବିଜୟ କୁମାର ଦାସ ଜିଲ୍ଲା କାର୍ଯ୍ଯବାହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଉପସ୍ଥିତ ରହି ଜିଲ୍ଲାରେ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଆୟୋଜନ ସମିତିର କର୍ମକର୍ତ୍ତାଙ୍କୁ ଆଗାମୀ ଯୋଜନା ବିଷୟରେ କହିଥିଲେ। ଯୋଜନା ମୁତାବକ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ କରପତ୍ର ( ନିମନ୍ତ୍ରଣ ପତ୍ର ) ଜିଲ୍ଲାର ସମସ୍ତ ଘରକୁ ପହଞ୍ଚାଇବାକୁ ପଡ଼ିବ। ବୈଠକରେ ଶେଷରେ ଏକ ସୁରମ୍ୟ ଶୋଭାଯାତ୍ରାରେ ଉକ୍ତ ଅକ୍ଷତ କଳସ ଓ କରପତ୍ରକୁ ଜିଲ୍ଲାର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲଟି/ ଏନଏସିକୁ ପ୍ରେରଣ କରାଯାଇଛି। ଏହାପରେ ପର୍ଯ୍ୟାୟ କ୍ରମେ ଅକ୍ଷତ ଓ କରପତ୍ରକୁ ପଞ୍ଚାୟତ , ଗ୍ରାମ/ଓ୍ବାର୍ଡ ପର୍ଯ୍ୟନ୍ତ ନିଆଯାଇ ଘରକୁ ଘର ଉକ୍ତ ଅକ୍ଷତ ଓ କରପତ୍ର ବଣ୍ଟନ କରାଯିବ। ୨୨-୦୧-୨୪ ଦିନ ପ୍ରତି ଗ୍ରାମର ଦେବସ୍ଥାନରେ ଯଜ୍ଞ, ଭଜନ କୀର୍ତ୍ତନ, ରାମଧୂନ, ହନୁମାନ ଚାଳିଶା ପଠନ କରାଯିବ। ଦୀର୍ଘ ୫୦୦ ବର୍ଷରୁ ଅଧିକ ସଂଘର୍ଷ, ସହସ୍ରାଧିକ ବଳିଦାନ ପରେ ସନାତନୀ ହିନ୍ଦୁ ତାର ଆରାଧ୍ୟ ଶ୍ରୀରାମଙ୍କ ଜନ୍ମ ସ୍ଥାନ ଫେରି ପାଇଛି, ତେଣୁ ଘରେ ଘରେ କଳସ ସ୍ଥାପନ କରିବା ସହିତ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ନିବେଦନ କରାଯାଇଛି। ସମସ୍ତ ବ୍ଲକ୍, ମ୍ୟୁନିସିପାଲଟି ଓ ଏନଏସିର ୧୫୦ ଦାଇତ୍ୱପ୍ରାପ୍ତ ଅଧିକାରୀ ଆଜିର ବୈଠକରେ ଅଂଶଗ୍ରହଣ କରି ନିଜ ନିଜର ବ୍ଲକ୍, ମ୍ୟୁନିସିପାଲଟି ଓ ଏନଏସି ପାଇଁ ଅକ୍ଷତ କଳସ ଓ କରପତ୍ର ଗ୍ରହଣ କରିଥିଲେ।


