ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇ ମାମଲା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ନଭେମ୍ବର ୭ ତାରିଖରେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ, ପୋଲସରା ଷଣ୍ଢସାହିର ମନୋଜ ପଟ୍ଟନାୟକ, ବାଲେଶ୍ୱର ଦହିସୋର ଗ୍ରାମର କୃଷ୍ଣ ପାଢୀ ଓ ଚକାଜଗନ୍ନାଥ ଗ୍ରାମର ଜଗବନ୍ଧୁ ପଣ୍ଡା, ଭୁବନେଶ୍ୱର ସନ୍ତୋଷୀ ବିହାର ଅଞ୍ଚଳର ମହମ୍ମଦ ହନିଫ୍ ପ୍ରମୁଖ ୫ ଜଣଙ୍କୁ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ଗୋଟିଏ ଦିନ ପାଇଁ ହାଜର କରିବାକୁ ନିବେଦନ କରାଯାଇଛି । ଏହି ସଂକ୍ରାନ୍ତରେ ଶୁକ୍ରବାର ଛତ୍ରପୁର ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ଏକ ପତ୍ର ଜରିଆରେ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କୁ ନିବେଦନ କରିଛନ୍ତି ।ଚିଟ୍ଫଣ୍ଡ ସଂସ୍ଥାର ଉପରୋକ୍ତ ବ୍ୟକ୍ତିମାନେ ବିଭିନ୍ନ ଠକେଇ ଅଭିଯୋଗରେ ଗିରଫ ହୋଇ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ ବିଚାରଧୀନ କାରାଗାର ତଥା ଝାରପଡା ସ୍ୱତନ୍ତ୍ର ଜେଲ୍ରେ ଅଛନ୍ତି । ଏହି ସଂସ୍ଥା ତରଫରୁ ଛତ୍ରପୁର ଥାନା ଅଞ୍ଚଳର ଏକ ଠକେଇ ଅଭିଯୋଗ ମାମଲାରେ ସେମାନଙ୍କୁ ଗୋଟିଏ ଦିନ ପାଇଁ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ଆସନ୍ତାମାସ ୭ ତାରିଖରେ ହାଜର କରିବାକୁ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କୁ ନିବେଦନ କରାଯାଇଛି । ପୂର୍ବରୁ ଏହି ମାମଲା ସଂକ୍ରାନ୍ତରେ ଗତ ୨୧ ତାରିଖରେ ଛତ୍ରପୁର ଥାନା ପୁଲିସ ପକ୍ଷରୁ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଛତ୍ରପୁର ଏସ୍ଡିଜିଏମ୍ କୋର୍ଟରେ ନିବେଦନ କରିଥିଲେ । ଛତ୍ରପୁର ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ପୁଲିସ ରିମାଣ୍ଡ ବିଷୟରେ କୌଣସି ସ୍ପଷ୍ଟ କରିନଥିବା ବେଳେ କେବଳ ଗୋଟିଏ ଦିନ ପାଇଁ ସେମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କୁ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ ଅନୁମତି ମିଳିବା ପରେ ଛତ୍ରପୁର ଥାନା ପୁଲିସ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥାର ବ୍ୟକ୍ତିମାନଙ୍କୁ ହିପାଜତରେ ଝାରପଡା ସ୍ୱତନ୍ତ୍ର ଜେଲରୁ ଆଣିବା ପାଇଁ ଗସ୍ତ କରିବେ ବୋଲି କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଛତ୍ରପୁର ସହରରେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ରହିଥିଲା । ସେଠାରେ ଛତ୍ରପୁର ବ୍ଲକ କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ମସିହା ଡିସେମ୍ବର ୧ ତାରିଖରେ ଏକଲକ୍ଷ ଟଙ୍କା ଜମା କରିଥିଲେ । ପରବର୍ତ୍ତୀ ସମୟରେ ସଂସ୍ଥାର କାର୍ଯ୍ୟାଳୟ ସେଠାରୁ ରାତାରାତି ବନ୍ଦ ହୋଇଥିବା ସହିତ ଦେବରାଜଙ୍କ ଜମା ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୧୩ ମସିହା ମଇ ୧୦ ରେ ଦେବରାଜ ଥାନାରେ ଏକ ମାମଲା ରୁଜୁ କରିଥିଲେ ।


