ଅଳପୁଆ ନୋଡାଲ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମପଂଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେହି ପଂଚାୟତର ଅଳପୁଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ସେହି ସ୍କୁଲଟି ପଂଚାୟତର ସର୍ବପୁରାତନ ସ୍କୁଲ ହୋଇଥିବା ବେଳେ ସେହି ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ୧୦ମ ପର୍ଯ୍ୟନ୍ତ ୧୦ଟି ଶ୍ରେଣୀ ଚାଲୁଅଛି । ଶିକ୍ଷାଦାନ କ୍ଷେତ୍ରରେ ପଂଚାୟତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେହି ସ୍କୁଲର କେତେକ ଶିକ୍ଷୟତ୍ରୀଙ୍କୁ ନିକଟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟତ୍ର ବଦଳି କରିଦିଆଯାଇଥିବା ବେଳେ ସେହି ଶିକ୍ଷୟତ୍ରୀମାନେ ସେଠାରେ ଶିକ୍ଷାଦାନ କରୁନଥିଲେ ମଧ୍ୟ ସେହି ସ୍କୁଲରୁ ଦରମା ପାଉଛନ୍ତି । ଅପର ପକ୍ଷରେ ସେହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ଶହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ୮ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଥିବା ବେଳେ ଅଛନ୍ତି ମାତ୍ର ୫ଜଣ ଶିକ୍ଷକ । ଏଥିସହିତ ନବମ ଓ ଦଶମ ଶ୍ରେଣୀରେ ସ୍କୁଲରେ ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଜ୍ଞାନ ଶିକ୍ଷାଦାନ ନିମନ୍ତେ ମାତ୍ର ଜଣେ ଶିକ୍ଷୟତ୍ରୀ ଅଛନ୍ତି ଏବଂ ସେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏଭଳି ପରିସ୍ଥିତିରେ ସେହି ସ୍କୁଲରେ ପ୍ରଧାନ ଶିକ୍ଷକ, ଅନ୍ୟଏକ ବିଜ୍ଞାନ ଶିକ୍ଷକ, କ୍ରୀଡା ଶିକ୍ଷକ, କିରାଣୀ, ରାତ୍ରଜଗୁଆଳ ପଦ ଗୁଡିକ ଖାଲି ପଡିଥିବା ଯୋଗୁଁ ସ୍କୁଲର ଶିକ୍ଷାଦାନରେ ଗୁରୁତ୍ତର ବ୍ୟାହତ ହେଉଥିବା ପଂଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କରୋନା ମହାମାରୀ ଯୋଗୁଁ ପ୍ରାୟ ବର୍ଷେ ହେବ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିବାକୁ ଯିବା ସମୟରେ ଏତେ କମ ସଂଖ୍ୟକ ଶିକ୍ଷକରେ ସ୍କୁଲର ଶିକ୍ଷାଦାନ କିଭଳି ସମ୍ଭବ ହେବ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଏସମ୍ପର୍କରେ ସୁବିଚାର କରାଯାଇ ତୁରନ୍ତ ସେହି ସ୍କୁଲରେ ଖାଲି ପଡିଥିବା ପଦବୀ ଗୁଡିକ ପୁରଣ କରାଯିବାକୁ ପଂଚାୟତବାସୀ ଓ ଛାତ୍ରାଭିଭାବକମାନଙ୍କ ପକ୍ଷରୁ ଅଳପୁଆ ସରପଂଚ ରମେଶ ଦାସ, ୧୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ନାରାଦ ଚନ୍ଦ୍ର ବିଶ୍ୱାଳ, ସମିତିସଭ୍ୟା ନମିତା ଦାସ, ଗଗନ ମାହାଳିକ, ସୁକାନ୍ତ ରାଉତ, କୃତ୍ତିବାସ ସାହୁ, ସ୍କୁଲର ସଭାପତି ମଧୁସୁଦନ ଦାସ, ରବୀନ୍ଦ୍ର ଧଳ, ସୁଶାନ୍ତ କୁମାର ସେଠୀ, ଶତୃଘ୍ନ ମଳିକ, ବବୃବାହାନ ଧଳ, ନରେନ୍ଦ୍ର ଧଳ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


