ଆସାମରେ ନିର୍ବାଚନ ପ୍ରଚାର କରିବେ ବିଜେପି ନେତା ସଲିମ ଖାନ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):ଆସାମ ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ମାର୍ଚ୍ଚମାସ ୨୭ ଓ ଅପ୍ରେଲମାସ ୧ ଓ ୬ତାରିଖ ଏହିଭଳି ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ସମୟଧାର୍ଯ୍ୟ କରାଯାଇଛି । ସେହି ରାଜ୍ୟରେ ମୋଟ ଭୋଟରଙ୍କର ୩୭ ପ୍ରତିଶତ ହେଉଛନ୍ତି ମୁସଲମାନ ସଂପ୍ରଦାୟର ଭୋଟର । ଆସାମରେ ରାଜ୍ୟର ବିଜେପି ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସାର୍ବନନ୍ଦ ସୋନୋବାଲ, ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ୱ ଶର୍ମା, ଆସାମ ରାଜ୍ୟର ବିଜେପି ସଭାପତି ରଞ୍ଜିତ ଦାସ ଓ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦିଲ୍ଲିପ ସାଇକିଆ ପ୍ରମୁଖ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଅଛନ୍ତି । ନିର୍ବାଚନରେ ମୁସଲମାନ ସଂପ୍ରଦାୟର ଭୋଟରମାନେ ରହୁଥିବା ଅଂଚଳରେ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରିବା ଏବଂ ସେମାନଙ୍କ ମଧ୍ୟରେ ବିଜେପିର ବାର୍ତ୍ତା ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିବା ପାଇଁ କେନ୍ଦ୍ରାପଡାର ଏକମାତ୍ର ବରିଷ୍ଠ ବିଜେପି ନେତା ସଲିମ ଖାନ ଆସାମ ଯାଇ ସେଠାରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ଜଣାପଡିଛି । ସଲିମ ଖାନ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟତଃ ମୁସଲମାନ ସଂପ୍ରଦାୟର ଭୋଟରମାନଙ୍କୁ ବୁଝାଇବା ସହ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଆଗେଇ ନେଇଥିବା ସୂଚନା ମିଳିଛି । ସଲିମ ଆସାମର ହୋଯାଇ ଜିଲ୍ଲାର ହୋଯାଇ ବିଧାନସଭା କ୍ଷେତ୍ର ନିମନ୍ତେ ଦୋଳପୋଖରୀ ମଣ୍ଡଳ, ହୋଯାଇ ଓ ଲଙ୍କାନଗର ମଣ୍ଡଳ ଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ବିଭିନ୍ନ ସଭାରେ ସମ୍ଭୋଧିତ କରିଥିବା ବେଳେ ସମାଗୁରି ବିଧାନସଭା କ୍ଷେତ୍ରର ସାଲପାରା ଗ୍ରାମପଂଚାୟତରେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକଯୁବତୀ ଓ ଲୋକମାନଙ୍କୁ ଭେଟି ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ବୁଝାଇଥିଲେ । ସେହିପରି ସମାଗୁରି ବିଧାନସଭା କ୍ଷେତ୍ରର ଶିଙ୍ଗିମାରି ଓ ମଗୁରମାରି ଗ୍ରାମପଂଚାୟତରେ ଏକ ନୂତନ ନିର୍ବାଚନ କାର୍ଯ୍ୟାଳୟକୁ ସଲିମ ଉଦଘାଟନ କରିବା ସହ ବିଜେପି ସପକ୍ଷରେ ଭୋଟ ଦେବାକୁ ସଂଖ୍ୟାଲଘୁ ସଂପ୍ରଦାୟର ଭାଇଭଉଣୀମନଙ୍କୁ ଘର ଘର ବୁଲି ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ