ଅସୁସ୍ଥ ଇରଫାନଙ୍କୁ ସାଥୀ କଳାକାରଙ୍କ ସହଯୋଗ
ବଲିଉଡ୍ର ନାମୀଦାମୀ ତଥା ଜଣାଶୁଣା ଅଭିନେତ୍ରୀମାନେ ଅଭିନେତା ଇରଫାନ ଖାନଙ୍କ ଆଗାମୀ ଫିଲ୍ମ ‘ଇଂରାଜୀ ମିଡିଅମ’ର ପ୍ରଚାରରେ ଦାୟିତ୍ବ ନେଇଛନ୍ତି। ସୂଚନାଯୋଗ୍ୟ ଯେ ଇରଫାନ ଏବେ ଅସୁସ୍ଥ ଅଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି। ଫଳରେ ସେ ଫିଲ୍ମର ପ୍ରଚାର କରିପାରୁ ନାହାନ୍ତି।
ଏପରିସ୍ଥଳେ କ୍ୟାଟ୍ରିନା କୈଫ୍, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା, କୀର୍ତ୍ତି ସାନନ, ଜାହ୍ନବୀ କପୁର, କିଆରା ଆଡଭାଣୀଙ୍କ ଭଳି ବଲିଉଡ୍ର ଜଣାଶୁଣା ଅଭିନେତ୍ରୀମାନେ ‘ଇଂରାଜୀ ମିଡିଅମ’ ସିନେମାର ନୂଆ ଗୀତ ‘କୁଡି ନୁ ନଚନେ ଦେ’ ଉପରେ ପରଫର୍ମ କରି ଲୋକଙ୍କ ମଧ୍ୟରେ ଫିଲ୍ମର ପ୍ରଚାର କରୁଥିବା ନଜର ଆସୁଛନ୍ତି। ଏହି ମ୍ୟୁଜିକ୍ ଭିଡ଼ିଓକୁ ୟୁଟ୍ୟୁବ୍ରେ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ‘କୁଡି ନୁ ନଚନେ ଦେ’ ଗୀତକୁ ବିଶାଲ ଦଦଲିନୀ ଗାଇଛନ୍ତି। ଏହି ଗୀତରେ ସମାନତା ଓ କାହାରି ସ୍ବପ୍ନକୁ ଇଜ୍ଜତ ଦେବା ସମ୍ପର୍କରେ କୁହାଯାଇଛି। ‘ଇଂରାଜୀ ମିଡିଅମ’ ଜଣେ ସିଙ୍ଗଲ ପିତାଙ୍କ କାହାଣୀ, ଯିଏ ନିଜ ଝିଅଙ୍କ ପାଠପଢ଼ା ସ୍ବପ୍ନ ପୂରଣ କରିବା ଲାଗି ସମସ୍ତ ସୀମା ପାର୍ କରି ଦେଇଛନ୍ତି। ଜିୟୋ ଷ୍ଟୁଡିଓ ଓ ପ୍ରେମ ଭିଜାନ ଦ୍ବାରା ପ୍ରସ୍ତୁତ ଦିନେଶ ଭିଜାନଙ୍କ ଏହି ଫିଲ୍ମ ଏମ୍ଡକ୍ ଫିଲ୍ମସ ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ହୋଇଛି। ‘ଇଂରାଜୀ ମିଡିଅମ’ ସିନେମା ୧୩ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି।


