ଆଇନଜୀବୀଙ୍କ ବିୟୋଗରେ ଓକିଲ ସଂଘର ଶୋକ ଦ୍ରୁତ ଓ ବେପରୱା ଗାଡ଼ିଚାଳନା ନେଇ କାର୍ଯ୍ୟାନୁଷ୍ଠାନ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ସଡ଼କ ଦୁର୍ଘଟଣାରେ ମୃତ ବରିଷ୍ଠ ଆଇଜନୀବୀ ପଞ୍ଚାନନ ପରିଡ଼ାଙ୍କ ବିୟୋଗରେ ଜିଲା ବାର ଆସୋସିଏସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ଅୟୋଜିତ କାର୍ଯ୍ୟକ୍ରମରେ ଓକିଲ ସଙ୍ଘର ସଭାପତି ମନୋଜ କୁମାର ନାୟକ, ସମ୍ବାଦକ ସମ୍ବିତ କୁମାର ନନ୍ଦୀଙ୍କ ସମେତ ପୁରୁଷୋତ୍ତମ ବିଶ୍ୱାଳ, ସୁଧାଂଶୁ ଦାସ, ପ୍ରଭାତ ଦାସ, ନିରଞ୍ଜନ ପରିଡ଼ା, ଉର୍ମିଳା ମାଝୀ, ଜିତେନ୍ଦ୍ର ଉପାଧ୍ୟାୟ, ଅଭିଜିତ ପଣ୍ଡା, ଜ୍ୟୋତ୍ସ୍ନା ମହାନ୍ତି, ବିଳ୍ପ କେଶରୀ ଦେଓ, ରଘୁନାଥ ମହାଳିକଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସମସ୍ତେ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତେବେ ଶ୍ରୀ ପରିଡ଼ାଙ୍କ ଅକାଳ ବିୟୋଗକୁ ନେଇ ବେପରୱା ଗାଡ଼ି ଚାଳନାକୁ ଦାୟୀ କରିଛି ଓକିଲ ସଂଘ । ପ୍ରାତଃ ଭ୍ରମଣ ବେଳେ ସ୍ଥାନୀୟ ସମଲପୁର ଛକଠାରେ ଦ୍ରୁତ ଓ ବେପରୱା ଗାଡ଼ି ଚଳନା ଯୋଗୁଁ ଏକ କାର ଧକ୍କାରେ ତାଙ୍କର ଜୀବନ ଯାଇଥିବା ଶୋକସଭାରେ ଉପସ୍ଥିତ ଓକିଲମାନେ ଆରୋପ ଉଠାଇଛନ୍ତି । ଦ୍ରୁତ ଓ ବେପରୱା ଗାଡ଼ି ଚାଳନା ପ୍ରତି ପୁଲିସ ତଥା ପରିବହନ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ ନ ହେବା ଯୋଗୁଁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ବିଶେଷ କରି ସହର ସମେତ ସହର ଉପକଣ୍ଠ ଅଞ୍ଚଳ ରାସ୍ତାରେ ସ୍ଥାନେ ସ୍ଥାନେ ସିସି କ୍ୟାମେରା ଲଗାଇବା ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଦ୍ୱାରା ଦ୍ରୁତ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ