ଆକାଂକ୍ଷୀ ଜିଲ୍ଲା ପାଇଁ ୨୫ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସ

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)  ପ୍ରହ୍ଲାଦ ସିଂ ସମ୍ପୂର୍ଣ୍ଣ ଲଦାଖ ଅଂଚଳ ପାଇଁ ପ୍ରଥମ ଥର ଲାଗି ଲେହରୁ ଏକ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ (ବିଜ୍ଞାନ ଅନ୍ୱେଷକ)ର ଶୁଭାରମ୍ଭ କରିଛନ୍ତି । ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଂଚଳ ବିକାଶ ପରିଷଦର ଅଧ୍ୟକ୍ଷ ଗ୍ୟାଲ ପି ୱଙ୍ଗ୍ୟାଲ; ସଂସ୍କୃତି ସଚିବ ଅରୁଣ ଗୋଏଲ, ଏଏସଆଇ ଡିଜି ଶ୍ରୀମତୀ ଉଷା ଶର୍ମାଙ୍କ ସମେତ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (ଏନସିଏସଏମ)ର ପ୍ରତିନିଧି, ସଂସ୍କୃତି ମନ୍ତ୍ରଣାଳୟ ଏବଂ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ସମ୍ପୂର୍ଣ୍ଣ ଲଦାଖ ଅଂଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ । ଲୋକମାନେ ଯଦି ସଂଗ୍ରହାଳୟକୁ ବୁଲି ଯାଇପାରୁନାହାନ୍ତି, ସେମାନଙ୍କ ନିକଟରେ ସଂଗ୍ରହାଳୟ ପହଁଚିବା ଉଦ୍ଦେଶ୍ୟ ନେଇ ୧୯୬୫ରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହା ହେଉଛି ଏନସିଏସଏମର ସର୍ବବୃହତ ଓ ଦୀର୍ଘତମ ଜନସମ୍ପର୍କ କାର୍ଯ୍ୟକ୍ରମ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଦେଶର ଆକାଂକ୍ଷୀ ଜିଲ୍ଲା ପାଇଁ ୨୫ଟି ନୂଆ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସର ଶୁଭାରମ୍ଭ କରାଯାଇଥିଲା । ଲେହରୁ ଏହି ୨୫ଟି ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସର ଶୁଭାରମ୍ଭ କରାଯିବା ବିରଳ ମୁହୂର୍ତ । ଦେଶର ବିଶାଳତାକୁ ଦେଖିଲେ ଅପହଁଚ ଇଲାକାରେ ପହଁଚିବାର ଆବଶ୍ୟକତା ରହିଛି । ଏହି କାରଣରୁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ବସଗୁଡ଼ିକର ଶୁଭାରମ୍ଭ କରାଯାଇଛି ।  ଏକ ଗଣ ଆନ୍ଦୋଳନ ଜରିଆରେ ଅପେକ୍ଷାକୃତ ଅନୁନ୍ନତ ଜିଲ୍ଲାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ସାମାଜିକ ବିକାଶ ଲାଗି ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସ୍ୱାୟତ ସଂସ୍ଥାନ ଏନସିଏସଏମ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଏହି ନୂଆ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସର ଉଦଘାଟନ କରାଯାଇଛି । ଏହି ବସ ଆକାଂକ୍ଷୀ ଜିଲ୍ଲାରେ ଥିବା ପ୍ରତ୍ୟେକ ସ୍କୁଲରେ ବର୍ଷସାରା ବୁଲି ପିଲାମାନଙ୍କୁ ବିଜ୍ଞାନ ସମ୍ପର୍କରେ ସଚେତନ କରିବ । ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଏହି ବସରେ ଶିଶୁ ଏବଂ ଗ୍ରାମୀଣ ଜୀବନ ଉପରେ ୨୦ଟି ବାର୍ତାଳାପଧର୍ମୀ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ ପ୍ରଦର୍ଶନୀ ରହିଛି । ଏହିପରି ଅଧିକ ବସ ଦେଶର ଅନ୍ୟ ଅଂଚଳକୁ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଣ ହୋଇଛି । ମାପ, ଦୈନନ୍ଦିନ ଜୀବନରେ ଯନ୍ତ୍ର, ଖାଦ୍ୟ ଓ ସ୍ୱାସ୍ଥ୍ୟ, ଜଳ ଉପରେ ଗୁରୁତ୍ୱାରୋପ ସହ ରସାୟନ ବିଜ୍ଞାନ ଓ ଜୀବନ, ଶକ୍ତି, ସ୍ୱଚ୍ଛତା ଓ ପରିମଳ, ମହାକାଶ ବିଜ୍ଞାନ ଓ ମାନବ କଲ୍ୟାଣ ଆଦି ବିଷୟ ଉପରେ ଏହି ପ୍ରଦର୍ଶନୀ ଆଧାରିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ