ଆକାଶରୁ ବର୍ଷୁଛି ନିଆଁ, ୨୬ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ନିଆଁ ବର୍ଷୁଛି ଆକାଶରୁ । ପାରଦ ୪୨ ରୁ ୪୫ ଡିଗ୍ରୀ ଭିତରେ ରହୁଛି । ଟିଟିଲାଗଡ଼ରେ ପୁଣି ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ଛୁଇଁଥିଲା । ପାଣିପାଗ ପୂର୍ବାନୁମାନ ଆହୁରି ଡରାଇଲାଣି । ଆସନ୍ତା ୨୬ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିସ୍ତାର ମିଳିବନି ତାତି ପ୍ରହରରୁ । ୫ ଜିଲ୍ଲାରେ ନିଆଁ ବର୍ଷିବ । ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ ଜିଲ୍ଲାରେ ଆସନ୍ତା ୩ ଦିନ ଅସମ୍ଭାଳ ଗ୍ରୀଷ୍ମ ଲହରୀ ଜାରି ରହିବ । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟର ୧୨ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ ପଛକୁ ଭବାନୀପାଟଣାରେ ତାତି ୪୪.୨ ଡିଗ୍ରୀରେ ପହଞ୍ଚିଲା । ତାଳଚେର ୪୩.୮, ବଲାଙ୍ଗୀର ୪୩.୫, ମାଲକାନଗିରି ୪୩ ଡିଗ୍ରୀରେ ସିଝିଥିଲା । ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ, ପାରଳାଖେମୁଣ୍ଡି, ବୌଦ୍ଧରେ ତାପମାତ୍ରା ୪୨ଡିଗ୍ରୀ ପାର କରିଥିଲା । ପଶ୍ଚିମପଟୁ ତତଲା ପବନ ବହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ଉପକୂଳ ଓଡ଼ିଶାରେ ତାତି ପ୍ରକୋପ କମ ଥିଲା । କଟକ ପାରଦ ୩୫.୪ ଓ ଭୁବନେଶ୍ୱର ୩୫.୫ ଡିଗ୍ରୀ ଛୁଇଁଥିଲା । ସାମୁଦ୍ରିକ ପବନ ଯୋଗୁ ଖରା ପ୍ରକୋପ ବି କମିଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ଆକଳନ ହେଲା, ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଞ୍ଚଳରେ ଗ୍ରୀଷ୍ମ ପ୍ରକୋପ ଆଉ ୩-୪ ଦିନ ଅଧିକ ରହିବ । ଏଥିପାଇଁ ସତର୍କତା ପଦକ୍ଷେପ ନେବାକୁ କୁହାଯାଇଛି । ଉପକୂଳରେ ପାରଦ କମ୍‍ ରହିଛି । ବିଶେଷ ବଢ଼ିବନି । ଅପରପକ୍ଷରେ ସୋମବାର ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ