ଆଗିରିଆ ରେ ଜମିଜମା ବିବାଦ କୁନେଇ ହଣାକଟା ୭ଜଣ ଗୁରୁତର ମେଡିକାଲ ରେ ଭର୍ତ୍ତୀ
ହାଟଡିହି, (ବିକାଶ ବିଶ୍ୱାଳ):ଆଗିରିଆ ରେ ଜମିଜମା ବିବାଦକୁ ନେଇ ହଣାକଟା ହେବା ସହ ଏଥିରେ ୭ଜଣ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତୀ ହୋଇଛନ୍ତି । ସୂଚନା ଅନୁଯାଇ ଗ୍ରାମର ଜଣେ ମହିଳାଙ୍କ ଠାରୁ ଗୋଟିଏ ପ୍ଲଟକୁ ସେହି ଗ୍ରାମର ବିଦ୍ୟାଧର ଜେନା ଓ ରାଇଧର ଜେନା ନାମକ ଦୁଇଜଣ ବ୍ୟକ୍ତି ଭିନ୍ନଭିନ୍ନ ସମୟରେ କିଣିଛନ୍ତି । ବିଦ୍ୟାଧର ଜେନା ପ୍ରଥମେ ଜମିକିଣି କବଲା କରି ସାରିଥିବା ବେଳେ ରାଧାନାଥ ଏକ ବଣ୍ଡ ପେପର ଦସ୍ତଖତ କରି ଜମି କିଣିଛନ୍ତି । ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିବା ବେଳେ କିଛିଦିନ ପୂର୍ବେ ପାଟିତୁଣ୍ଡ ହେବାରୁ ଗ୍ରାମର ଭଦ୍ରବ୍ୟକ୍ତି ମାନେ ବସି ୮ଦିନ ପର୍ଯ୍ୟନ୍ତ କେହି ଜମିକୁ ନ ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଜି ରାଧାନାଥ ଜେନାଙ୍କ ପୁଅ ନୀଳମଣି ଜମିରେ ଧାନତଳି ରୋଉଥିବା ସମୟରେ ବିଦ୍ୟାଧର ଜେନାଙ୍କ ପରିବାର ଲୋକେ ପହଞ୍ଚିବାରୁ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ବିଦ୍ୟାଧର ଜେନାଙ୍କ ପରିବାର ଲୋକେ ନୀଳମଣିକୁ ପିଟାପିଟି କରିଥିଲେ । ଏକଥା ଜାଣିବାପରେ ରାଧାନାଥଙ୍କ ପରିବାର ଲୋକେ ଠେଙ୍ଗା ବାଡିଧରି ବିଦ୍ୟାଧର ଜେନାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ବିଦ୍ୟାଧର ଜେନାଙ୍କ ପରିବାରରୁ ୪ଜଣ ଓ ରାଧାନାଥ ଜେନାଙ୍କ ପରିବାରରୁ ୩ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତ ରଖାନାରେ ଭର୍ତ୍ତି କରାଯାଇଛି । ୨ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନନ୍ଦିପଦା ପୁଲିସ ଗାଁରେ ପହଞ୍ଚି ଉତ୍ତେଜନା ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ନୀଳମଣି ଜେନା ଗ୍ରାମର ବିଦ୍ୟାଧର ଜେନା, ବାପି ଜେନା, ପାପୁନ ଜେନା, ଲିପୁନୁ ଜେନା, ଲିଙ୍କୁନ ଜେନା, ମିଙ୍କୁନ ଜେନା, ସୌମ୍ୟରଞ୍ଜନ ଜେନାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଥାନା କେସନଂ ୨୪୭/୨୦୨୪ ରେ ଏକ ମାମଲା ରୁଜୁ କରିଛି।


