ଆଜିଠୁ କାର୍ଯ୍ୟକ୍ଷମ ହେବ ଏନ୍‌ଟିପିସି ଦର୍ଲିପାଲିର ଦ୍ୱିତୀୟ ୟୁନିଟ୍

ଭୁବନେଶ୍ୱର, ଏନ୍‌ଟିପିସି ଦର୍ଲିପାଲି ସୁପର ପାୱାର ଷ୍ଟେସନର ଦ୍ୱିତୀୟ ୟୁନିଟ୍ ସେପ୍ଟେମ୍ବର ୧ ତାରିଖରୁ ବ୍ୟବସାୟିକ ଭାବେ କାର୍ଯ୍ୟ ଆରମ୍ଭ କରିବ ।
ଏହି ଅବସରରେ ଏନ୍‌ଟିପିସି ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ପୂର୍ବାଂଚଳ-୨) ଶ୍ରୀ ଏସ୍‌.କେ. ସତ୍ୟ କହିଛନ୍ତି ଯେ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ୨ୟ ୟୁନିଟ୍‌ରେ ପରୀକ୍ଷାମୂଳକ ଉତ୍ପାଦନ ଗତ ଜୁଲାଇ ୨୧ ତାରିଖରେ ଶେଷ ହୋଇଛି ଏବଂ ସେପ୍ଟେମ୍ବର ୧ ତାରିଖରୁ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବ ।
୧୬୦୦ ମେଗାୱାଟ ଏହି ପାୱାର ପ୍ରୋଜେକ୍ଟ ଦ୍ୱାରା ଉତ୍ପାଦିତ ଶକ୍ତିର ଶତକଡ଼ା ୫୦ ଭାଗ ଓଡ଼ିଶାକୁ ମିଳିବ । ଅବଶିଷ୍ଟ ୫୦ ଭାଗ ବିହାର, ଝାଡ଼ଖଣ୍ଡ, ସିକିମ୍ ଏବଂ ପଶ୍ଚିମବଙ୍ଗକୁ ବିକ୍ରି ହେବ । କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ(ସିଇଆର୍‌ସି) ସହିତ ହୋଇଥିବା ବିଦ୍ୟୁତ୍ କ୍ରୟ ଚୁକ୍ତି ଅନୁଯାୟୀ ଦର୍ଲିପାଲି ପ୍ଲାଂଟରୁ ବିଦ୍ୟୁତ୍‌ର ମୂଲ୍ୟ ୟୁନିଟ୍ ପିଛା ୨ଟଙ୍କା ୯୦ ପଇସା ହେବ । ବିଦ୍ୟୁତର ନିର୍ଦ୍ଧାରିତ ମୂଲ୍ୟ ୧ଟଙ୍କା ୯୦ ପଇସା ଥିବାବେଳେ, ପରିବର୍ତନଶୀଳ ମୂଲ୍ୟ ୟୁନିଟ୍ ପିଛା ୧ ଟଙ୍କା ନିର୍ଦ୍ଧାରଣ କରାଯାଇଅଛି ।
ଏନ୍‌ଟିପିସି ଏହି ପ୍ରକଳ୍ପରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ କରିସାରିଛି, ଯାହାର ଆନୁମାନିକ ମୂଲ୍ୟ ୧୩,୭୦୦ କୋଟି ଟଙ୍କା ଅଟେ । କେତେକ କାର୍ଯ୍ୟ ଯଥା ପ୍ଲାଂଟର କୋଇଲା ପରିବହନ ନିମନ୍ତେ ରେଲୱେ ଲାଇନ୍‌ର ନିର୍ମାଣ ଏବଂ ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଏବଂ କେଚୋବାହାଲ ଷ୍ଟେସନରେ ରେଲୱେ ସାଇଡିଂକୁ ଯୋଡ଼ିବା ନିମନ୍ତେ ମେରୀ ଗୋ ରାଉଣ୍ଡ(ଏମ୍‌ଜିଆର୍‌)ର ନିର୍ମାଣ ପ୍ରଗତିଶୀଳ ରହିଅଛି । ଜୁନ୍ ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ