ଆଜି ବିଶ୍ୱ ଜଳାତଙ୍କ ଦିବସ
ଆସିକା (ୱାଇଏନ୍ଏସ୍) :ଆଜି ଅର୍ଥାତ୍ ସେପ୍ଟେମ†ର ମାସ ୨୮ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଜଳାତଙ୍କ ଦିବସ । ଜଳାତଙ୍କ ଭୂତାଣୁ ଏବଂ ଏହାର ପ୍ରତିକାର ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୮ ତାରିଖକୁ ବିଶ୍ୱ ଜଳାତଙ୍କ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଜଳାତଙ୍କ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଜଳାତଙ୍କ ଏକ ଭୂତାଣୁଜନିତ ରୋଗ ହୋଇଥିଲା ବେଳେ ପାଗଳା କୁକୁର କାମୁଡିଲେ ଏହି ଜଳାତଙ୍କ ରୋଗର ଶୀକାର ହେବା ଯଥେଷ୍ଟ ସମ୍ଭାବନା ରହିଛି । ଜଳାତଙ୍କ ରୋଗର ଶୀକାର ହେଲେ ସ୍ଥାୟୀ ଚିକିତ୍ସା ପ୍ରାୟ ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଅର୍ଥାତ୍ ଜଳାତଙ୍କ ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ମୃତ୍ୟୁ ପ୍ରାୟତଃ ସୁନିଶ୍ଚିତ । ଏହି ରୋଗ କୁକୁର, ବିରାଡି, ବିଲୁଆ, ଗଧିଆ ଆଦି ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଠାରୁ ମନୁଷ୍ୟ ତଥା ଅନ୍ୟ ପ୍ରାଣୀମାନଙ୍କୁ ପ୍ରାୟତଃ ବ୍ୟାପିଥାଏ । ଏହି ଭୂତାଣୁ ମୁଖ୍ୟତଃ ବୁଲା କୁକୁର କାମୁଡିବା କିମ୍ବା ସେମାନଙ୍କ ଲାଳ ଦ୍ୱାରା ସୁସ୍ଥ ମନୁଷ୍ୟ କିମ୍ବା ଅନ୍ୟ ପଶୁପକ୍ଷୀଙ୍କୁ ବ୍ୟାପିଥାଏ । କ୍ଷତସ୍ଥାନରେ ଜଳାପୋଡା କିମ୍ବା କୁଣ୍ଡେଇ ହେବା, ସ୍ନାୟବିକ ଦୁର୍ବଳତା ଲାଗିବା, ଅକ୍ଷମତା, ପାଣି, ପବନ, ନିଆଁ, ଶବ୍ଦ ଏବଂ ଆଲୋକ ଆଦିକୁ ଭୟ ଲାଗିବା, ଅତ୍ୟଧିକ ପରିଶ୍ରମ ସହ୍ୟ କରିନପାରିବା, ଖାଦ୍ୟ ଢୋକିବାରେ କଷ୍ଟ ଅନୁଭବ କରିବା ଏବଂ ବାନ୍ତି ହେବା ହେଉଛି ଜଳାତଙ୍କ ରୋଗର ଅନ୍ୟତମ ପ୍ରମୁଖ କାରଣ । ଯଦି ଗୋଟିଏ ସୁସ୍ଥ ପ୍ରାଣୀ କିମ୍ବା ମନୁଷ୍ୟକୁ ବୁଲା କୁକୁର କାମୁଡିଦେଲା ତେବେ କାଳବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେଇ ତୁରନ୍ତ ଟୀକା ନେବା ସାଙ୍ଗକୁ ରକ୍ତସ୍ରାବ ଜାଗାଟିକୁ ଭଲ ରୂପେ ଅତି କମ୍ରେ ୧୫ ମିନଟ୍ ଯାଏଁ ସ୍ୱଚ୍ଛ ପାଣିରେ ଧୋଇବା ଏବଂ ଉକ୍ତ ଜାଗାରେ ଆଣ୍ଟିସେପ୍ଟିକ୍ ଲୋସନ୍ କିମ୍ବା ମଲମ ଲଗାଇବା ନିତାନ୍ତ ଆବଶ୍ୟକ ହୋଇଥିଲା ବେଳେ କୌଣସି ପରିସ୍ଥିତିରେ ରକ୍ତସ୍ରାବ ଜାଗାକୁ ବ୍ୟାଣ୍ଡେଜ୍ ନକରିବା ଜରୁରୀ । କୁକୁର କିମ୍ବା ଅନ୍ୟ କୌଣସି ଜୀବ କାମୁଡିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆଣ୍ଟି-ରେବିସ୍ ଭ୍ୟାକ୍ସିନ୍ ନେଲେ ଜଳାତଙ୍କ ରୋଗରୁ ଉପଶମ ମିଳିବା ସମ୍ଭାବନା ଅଧିକ ଥାଏ । ତେଣୁ ଭୟାବହ ଜଳାତଙ୍କ ରୋଗର ଭୟାବହତା ସଂପର୍କରେ ଜନସାଧାରଣ ସଚେତନ ହେବା ନିତାନ୍ତ ଆବଶ୍ୟକ ।


