ମିଳିତ ନିଶାନିବାରଣ ଅଭିଯାନ (ମନା) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର, (ଓ୍ବାଇଏନଏସ): ମିଳିତ ନିଶା ନିବାରଣ ଅଭିଯାନ (ମନା) ଓ ଭାରତୀୟ ଷ୍ଟେଟ୍ବ୍ୟାଙ୍କ୍, ବାଲେଶ୍ୱର ମୁଖ୍ୟ ଶାଖା ପକ୍ଷରୁ ମିଳିତ ସହଯୋଗରେ ନିଶା ବିରୋଧରେ ଏକ ସଚେତନତା ଶିବିର ସିଦ୍ଧି ବିନାୟକ ପବ୍ଲିକ୍ ସ୍କୁଲ୍ରେ ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ପ୍ରଭାକର ସାହୁ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଛାତ୍ରଛାତ୍ରୀମାନେ କିଶୋର ବୟସରୁ ମାଦକ ଦ୍ରବ୍ୟର ଭୟାବହତା ସଂପର୍କରେ ସଚେତନ ହେଲେ ସେମାନେ ଦେଶର ଜଣେ ସୁନାଗରିକ ହୋଇପାରିବେ ବୋଲି ସାଧାରଣ ସଂପାଦିକା ମମତା ମହାପାତ୍ର ମତ ପ୍ରକାଶ କରିଥିଲେ। ସ୍କୁଲ୍ର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ବରିଷ୍ଠ ରୋଟାରିଆନ୍ ତଥା ଉପଦେଷ୍ଠା ସୁବ୍ରତ କର ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ମୁଖ୍ୟଅତିଥିଭାବେ ଏସ୍ବିଆଇର ମୁଖ୍ୟ ପରିଚାଳକ ସତ୍ୟାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସମୃଦ୍ଧ ରାଷ୍ଟ୍ରଗଠନ ପାଇଁ ଯୁବସମାଜ ନିଶାସେବନ ଠାରୁ ଦୂରରେ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ସଂଯୋଜକ ଡ. କ୍ଷିତିଶ୍ୱର ଦାଶ, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଓ ଅକ୍ଷୟ କୁମାର ତ୍ରିପାଠୀ ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବସମାଜ ନିଶାସେବନ ଠାରୁ ଦୂରରେ ରହିବା ଉଚିତ ବୋଲି କହିଥିଲେ। ଅନେକ ଅପରାଧରେ ନିଶାସକ୍ତମାନଙ୍କ ପ୍ରମୁଖ ଭୂମିକା ଥିବାର ସେମାନେ ଦର୍ଶାଇଥିଲେ। ସ୍କୁଲ୍ର ଅଷ୍ଟମ ଶ୍ରେଣୀର ଛାତ୍ରୀ ତମନ୍ନା ପ୍ରଧାନ, ନବମ ଶ୍ରେଣୀର ଛାତ୍ରୀ ଶ୍ୱେତା ସିଂହ ଓ ଜ୍ୟୋତିଶ୍ରୀ ଜେନା ଏହି ସଚେତନତା ଶିବିରରୁ ସେମାନେ ଶିକ୍ଷାଗ୍ରହଣ କରିଥିବା ନିଶାସେବନର ଅପକାରିତା ସଂପର୍କରେ ନିଜର ମତ ପ୍ରକାଶ କରିଥିଲେ। ସେମାନଙ୍କୁ ‘ମନା’ ପକ୍ଷରୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବେଣୁଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ମନା’ ସଂଗଠନ ପକ୍ଷରୁ ଗୀତାଞ୍ଜଳି ସିଂହ, କଲ୍ୟାଣୀ ନନ୍ଦ, ଅର୍ଚ୍ଚନା ନନ୍ଦୀ, ଲକ୍ଷ୍ମଣ ବିଶ୍ୱାଳ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଭାସ୍କର ଚନ୍ଦ୍ର ମିଶ୍ର, ଭୂପତି ଭୂଷଣ ଦାସ, କବି ପ୍ରଭାକର ସାହୁ ଓ ବସନ୍ତ ପ୍ରଧାନ ପ୍ରମୁଖ ଏହି ସଭା ପରିଚାଳନାରେ ସହଯୋଗ କରିଥିଲେ।


