ଆଦିବାସୀଙ୍କ ନିଆରା ପର୍ବ ଟୋକିମରା

କଳାହାଣ୍ଡି,,(ଯୁଗାବ୍ଦ ନ୍ୟୁଜ୍‌): ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଥୁଆମୂଳ ରାମପୁର ବ୍ଲକ ରେ ଭିନ୍ନଭିନ୍ନ ସ୍ଥାନରେ ଟୋକିମରା ଉତ୍ସବ ପାଳିତ ହୋଇଯାଇଛି।ଏହି ପରମ୍ପରା ଅନୁଯାୟୀ ସେମାନଙ୍କ ରୀତିନୀତିକୁ ନେଇ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଥୁଆମୂଳ ରାମପୁର ବ୍ଲକ ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ବହୁ ଧୁମଧାମରେ ଏହି ପର୍ବ ପାଳନ କରାଯାଇଥାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପର୍ବର ଶୁଭାରମ୍ଭ ହୋଇଥାଏ ଏବଂ ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ଟୋକିମରା ପର୍ବ ପଡିଥିବା ଗ୍ରାମର ଗୁଡିରେ ଏକ ମୁଣ୍ଡା ପୋତିଥାଆନ୍ତି।ପରେ ଗୁଡିର ଜାନୀ ଦିଶାରୀଙ୍କ ନିର୍ଧାରିତ ଶୁଭଦିନ ରବିବାରରେ ଆଖପାଖ ଅଞ୍ଚଳର ପ୍ରତ୍ୟେକ ଆଦିବାସୀ ଗ୍ରାମର ଆଦିବାସୀ ନିଜନିଜ ପାରମ୍ପରିକ ବଜାବାଜଣା କରି ପର୍ବ ପାଳନ କରାଯାଉଥିବା ଗ୍ରାମକୁ ଯାଇ ଗ୍ରାମର ଗୁଡିରେ ଏକତ୍ରିତ ହୋଇଥିଲେ।ଗୁଡିରେ ଜାନୀ ଦିଶାରୀଙ୍କ ଦ୍ଵାରା ମାଟି ମାଁଙ୍କୁ ପୂଜାର୍ଚ୍ଚନା କରାଯାଥାଏ ।ମାଟି ଦେବତାଙ୍କୁ ଶାନ୍ତି କରିବା ପାଇଁ ଏକ ବୋଦା ବଳି ଦିଆଯାଇ ବିଭିନ୍ନ ଗ୍ରାମରୁ ଆସିଥିବା ଜାନି ଦିଶାରୀ ପ୍ରତିନିଧି ମାନଙ୍କୁ ବଳି ଦିଆଯାଇଥିବା ବୋଦା ମାଂସ ବଣ୍ଟନ କରାଯାଇଥିଲା।ଚଳିତ ବର୍ଷ ଥୁଆମୂଳ ରାମପୁର ପଞ୍ଚାୟତର ଟିକ୍ରାଗୁଡା , ସିନ୍ଧିପଦର ପଞ୍ଚାୟତର ବାର୍ସିକୋଣା, କାଣିଗୁମା ପଞ୍ଚାୟତର ଜବାଙ୍ଗ , କିଆପଦର ପଞ୍ଚାୟତର କାଲସପୁର ଓ ବାଗଡିଆଣି ପଞ୍ଚାୟତର କୁମାରକାନୀ ଠାରେ ଏହି ଉତ୍ସବ ପାଳିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ପୌଷ ମାସ ଶେଷ ରବିବାରରେ ଟୋକିମରା ପର୍ବ ପାଳନ ହୋଇଥାଏ।ଏହି ପର୍ବ ପାଳନ ଦ୍ବାରା ଅଞ୍ଚଳରେ ସୁଖ ଓ ଶାନ୍ତି ମିଳିଥିବା ବିଶ୍ୱାସ ରଖିଥାଆନ୍ତି ଆଦିବାସୀ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ