ଆଦ୍ୟ ପୂଜ୍ୟ ଶ୍ରୀ ଗଣେଶଙ୍କ ଅନନ୍ଯ ଅଷ୍ଟଅବତାର


ସନ୍ତୋଷ କୁମାର ଦାଶ

ଯେଉଁଭଳି ଭାବରେ ଦୁଷ୍ଟ ରାକ୍ଷସ ମାନଙ୍କ ସଂହାର ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରି ମର୍ତ୍ତ୍ୟକୁ ଆସୁଥିଲେ ସେହିଭଳି ଆଦ୍ୟ ପୂଜ୍ୟ ଦେବତା ଶ୍ରୀଗଣେଶ ମଧ୍ୟ ବହୁବାର ଅବତାର ଗ୍ରହଣ କରିଛନ୍ତି ବୋଲି ଶାସ୍ତ୍ର ରେ ବର୍ଣ୍ଣିତ ହୋଇଛି। ପୌରାଣିକ କଥା ଅନୁସାରେ ତାରକାସୁରର ବଧ ଶ୍ରୀ ଗଣେଶଙ୍କ ବଡ଼ ଭାଇ କାର୍ତ୍ତିକେୟ କରିଥିଲେ । ଏହା ପରେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ମହୋସୁର ନାମକ ଅସୁର ଦେବତା ମାନଙ୍କ ଉପରେ ଆକ୍ରମଣ କରିଦେଇଥିଲା । ଫଳରେ ସ୍ବର୍ଗର ଦେବତାମାନେ ତ୍ରାହି ତ୍ରାହି ଡାକିଲେ । ଶେଷରେ ଏହି ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଦେବତା ମାନେ ଶ୍ରୀ ଗଣେଶଙ୍କ ନିକଟରେ ପ୍ରାର୍ଥନା କଲେ । ଫଳରେ ଶ୍ରୀ ଗଣେଶ ମହୋଦର ବା ପୃଥୁଳକାୟ ବପୁ ସହ ଅବତାର ଗ୍ରହଣ କରିଥିଲେ । ଏହି ସ୍ବରୂପ ଦେଖିବା ପରେ ମୋହାସୁର ନିଜେ ନିଜେ ପରାଜୟ ସ୍ବୀକାର କରିବା ସହ ମହୋଦର ଅର୍ଥାତ ଶ୍ରୀଗଣେଶଙ୍କ ଭକ୍ତ ହୋଇଯାଇଥିଲା । ଦ୍ଵିତୀୟ ରେ ମତ୍ସ୍ୟାସୁର ନାମକ ଏକ ଅସୁର ପ୍ରଚଣ୍ଡ ଶିବ ଭକ୍ତ ଥିଲେ । ମହାଦେବଙ୍କୁ ନିଜ ତପସ୍ୟା ବଳରେ ପ୍ରସନ୍ନ କରି ସେ ଆଶୁତୋଷ ଶିବ ଙ୍କ ଠାରୁ ବିଶେଷ ବରପ୍ରାପ୍ତି ହୋଇଥିଲେ । ଶୁକ୍ରଚାର୍ଯ୍ୟ ଙ୍କ ପରାମର୍ଶକ୍ରମେ ନିଜର ଦୁଇପୁତ୍ର ମହାପରାକ୍ରମି ସୁନ୍ଦରପ୍ରିୟ ଏବଂ ବିଷୟପ୍ରିୟ ଙ୍କ ସହ ମତ୍ସ୍ୟାସୁର ସ୍ବର୍ଗଲୋକ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭୟଭୀତ ଦେବତାମାନେ ଶ୍ରୀଗଣେଶଙ୍କ ଶରଣ ପଶିବା ସହ ରକ୍ଷା କରିବା ପାଇଁ ପ୍ରାର୍ଥନା କରିବା ପରେ ଶ୍ରୀ ଗଣେଶ ବକ୍ରତୁଣ୍ଡ ରୂପ ଧାରଣ କରିଥିଲେ । ଏହି ସ୍ବରୂପରେ ପ୍ରଭୁ ଶ୍ରୀଗଣେଶ ମତ୍ସ୍ୟାସୁର ର ଦୁଇ ପୁତ୍ର ଙ୍କୁ ବଧ କରିବା ସହ ମତ୍ସ୍ୟାସୁରଙ୍କୁ ପରାସ୍ତ କରିଥିଲେ। ତୃତୀୟ ରେ ମଦ ନାମକ ଏକ ରାକ୍ଷସ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ ଦୀକ୍ଷା ଗ୍ରହଣ କରିଥିଲା । ଏହାପରେ ସେ ଦେବତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । ଦେବତାଙ୍କ ଆକୁଳ ପ୍ରାର୍ଥନାରେ ଶ୍ରୀଗଣେଶ ଏକଦନ୍ତ ରୂପ ଧାରଣ କରି ରାକ୍ଷସ ମଦର ବଧ କରିଥିଲେ ।
ଚତୁର୍ଥ ରେ କାମାସୁର ନାମକ ଏକ ଦୈତ୍ୟ ମହାଦେବଙ୍କୁ ପ୍ରସନ୍ନ କରି ତ୍ରିଲୋକ ବିଜୟୀ ହେବାର ବର ହାସଲ କରିଥିଲା ।ସେ ଦେବତା ମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲା । ଦେବତା ମାନଙ୍କୁ କାମାସୁରର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ପ୍ରଭୁ ଶ୍ରୀଗଣେଶ ବିକଟ ରୂପ ଧାରଣ କରିଥିଲେ । ଏହି ଅବତାରରେ ଶ୍ରୀଗଣେଶ ମୟୂର ପିଠିରେ ବସି କାମାସୁର ସହ ଯୁଦ୍ଧ କରି ତାର ବଧ କରିଥିଲେ । ପଞ୍ଚମ ରେ ଲୋଭାସୁର ନାମକ ଦୈତ୍ୟ ଶିବଙ୍କ ବରରେ ବଳିଆନ ହୋଇ ତ୍ରିଲୋକ କୁ ନିଜ ଅକ୍ତିଆରକୁ ନେଇଯାଇଥିଲା । ଲୋଭାସୁରକୁ ନିପାତ କରିବା ପାଇଁ ପ୍ରଭୁ ଶ୍ରୀଗଣେଶ ଙ୍କୁ ଗଜାନନ ବେଶ ଧାରଣ କରିବାକୁ ପଡିଥିଲା । ଏହି ସ୍ବରୂପରେ ସେ ଲୋଭାସୁର ର ଅନ୍ତ କରିଥିଲେ । ଷଷ୍ଠ ରେ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି କ୍ରୋଧାସୁର ନାମକ ଏକ ଦୈତ୍ୟ ସ୍ବର୍ଗଲୋକ ଅଧିକାର କରିବା ସହ ଦେବତା ମାନଙ୍କୁ ନାନାଦି କଷ୍ଟ ଓ ଯାତନା ଦେଇଥିଲା । ଏହି କ୍ରୋଧାସୁର ର ଆତଙ୍କ କୁ ସମାପ୍ତ କରିବା ପାଇଁ ପ୍ରଭୁ ଶ୍ରୀ ଗଣେଶ ଲମ୍ବୋଦର ସ୍ବରୂପ ଧାରଣ କରିଥିଲେ । ଶ୍ରୀଗଣେଶଙ୍କ ଲମ୍ବୋଦର ସ୍ବରୂପ ଆଗରେ କ୍ରୋଧସୁର ଅଧିକ ସମୟ ତିଷ୍ଠିପାରିନଥିଲା । ପ୍ରଭୁ ଶ୍ରୀ ଗଣେଶ ତାର ବଧ କରିଥିଲେ।
ସପ୍ତମ ରେ ମମାସୁର ନାମକ ଏକ ଦୈତ୍ୟ ସବୁ ଦେବତାଙ୍କୁ ବନ୍ଦୀ କରିଦେଇଥିଲା। ପ୍ରଭୁ ଶ୍ରୀଗଣେଶ ଦେବତାଙ୍କ ଦୁଃଖ ସହି ନପାରି ବିଘ୍ନରାଜ ଅବତାର ଗ୍ରହଣ କରିବା ସହ ମମାସୁର କବଳରୁ ସମସ୍ତ ଦେବତାଙ୍କୁ ମୁକ୍ତ କରିଥିଲେ । ଅଷ୍ଟମ ରେ ଅହନ୍ତାସୁର ନାମକ ଅସୁର ର ଆତଙ୍କର ଅନ୍ତ ଘଟାଇବା ଲାଗି ପ୍ରଭୁ ଶ୍ରୀଗଣେଶ ଧୁମ୍ରବର୍ଣ୍ଣ ରୂପ ଧାରଣ କରିଥିଲେ।ଏହି ଅବତାର ରେ ପ୍ରଭୁଙ୍କ ବର୍ଣ୍ଣ ଧୂଆଁ ଭଳି ହୋଇଥିଲା । ତେଣୁ ପ୍ରଭୁ ଶ୍ରୀ ଗଣେଶ ଙ୍କୁ ଧୁମ୍ରବର୍ଣ୍ଣ ବୋଲି ପୂଜା କରାଗଲା । ଏହି ଅବତାରରେ ସେ ଅହନ୍ତାସୁର ର ବଧ କରିଥିଲେ ।ଏହିପରି ଅଷ୍ଟରୂପ ଧାରଣ କରି ପ୍ରଭୁ ଶ୍ରୀ ଗଣେଶ ଅଷ୍ଟ ଅସୁରଙ୍କୁ ବଧ କରି ଦେବତା ମାନଙ୍କୁ ରକ୍ଷା କରିଥିବାରୁ ପ୍ରଭୁ ଶ୍ରୀ ଗଣେଶ ଙ୍କ ଅଷ୍ଟରୂପ କୁ ଗଣେଶ ଚତୁର୍ଥୀ ତିଥିରେ ପୂଜା କରାଯାଇ ଆସୁଛି। ଜୟ ଶ୍ରୀ ଆଦ୍ୟ ପୂଜ୍ୟ ଦେବତା ପ୍ରଭୁ ଶ୍ରୀ ଗଣେଶ।।

ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ