ଜଳବନ୍ଦୀରେ ଦିଗପହଣ୍ଡି ବସଷ୍ଟାଣ୍ଡ ବାସିନ୍ଦା, ପ୍ରଶାସନର ଦୃଷ୍ଟି କେବେ ପଡିବ?
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହରର ବସଷ୍ଟାଣ୍ଡ ବାସିନ୍ଦା ଗତ ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପ୍ରତିଦିନ ଏହି ବସଷ୍ଟାଣ୍ଡକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି, ସାମାନ୍ୟ ବର୍ଷା ହେଲେ ୧୭ ନଂ. ରାଜ୍ୟରାଜପଥ ଅଧିନ ଏହି ମୁଖ୍ୟରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହେବା ସହ ନାଳ ନର୍ଦ୍ଦମାର ଦୂଷିତ ପାଣି ରାସ୍ତା ଉପରେ ଲହଡ଼ି ମାରୁଛି। ବର୍ଷା ଜଳ ଓ ନାଳ ନର୍ଦ୍ଦମାର ଦୂଷିତ ପାଣି ଡ୍ରେନ ଯୋଗେ ନିଷ୍କାସନ ନ ହେବାରୁ ବସଷ୍ଟାଣ୍ଡର ଉଭୟ ପାର୍ଶ୍ବରେ ୩ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଛି । ଯାହାଦ୍ବାରା ସ୍ଥାନୀୟ ଜନସାଧାରଣ , ବ୍ୟାଙ୍କସେବା ନିମନ୍ତେ ଦୂରଦୂରାନ୍ତର ଆସୁଥିବା ଗ୍ରାହକ ଏବଂ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଆସୁଥିବା ଛାତ୍ରୀ ଛାତ୍ର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ରାସ୍ତାରେ ଦୀର୍ଘ ଦିନଧରି ପାଣି ଜମି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ଦ୍ବାରା ସ୍ଥାନୀୟ ବାସିନ୍ଦା ନିଜକୁ ଅସ୍ୱାସ୍ଥ୍ୟକର ମନେ କରୁଛନ୍ତି ।ଲୋକଙ୍କ କୂପ, ନଳକୂପର ଜଳ ଦୂଷିତ ହୋଇ ବ୍ୟବହାର ଯୋଗ୍ୟ ହୋଇପାରୁନଥିବା ଅଭିଯୋଗ ହେଉଛି । ବସଷ୍ଟାଣ୍ଡର ଉତ୍ତର ଓ ଦକ୍ଷିଣ ସାହିରେ ଘରକରି ରହୁଥିବା ବାସିନ୍ଦା ଓ ଦୋକାନ କରି ବ୍ୟବସାୟ କରୁଥିବା ଲୋକେ ଗତ ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ବର୍ଷାଜଳ ଓ ରାସ୍ତାକଡ ନର୍ଦ୍ଦମା ପାଣି ଘର ଓ ଦୋକାନ ମାନଙ୍କରେ ପଶୁଛି। ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାରୁ ଦୋକାନ ଓ ଘର ଗୁଡ଼ିକର ସମ୍ମୁଖରେ ପ୍ରାୟ ୩ ଫୁଟ ଉଚ୍ଚରେ ବର୍ଷାଜଳ ଓ ନର୍ଦ୍ଦମା ପାଣି ଲହଡ଼ି ମାରୁଛି। ୧୭ ନଂ ରାଜ୍ୟ ରାଜପଥ ମୁଖ୍ୟରାସ୍ତାର ଉଭୟ କଡ଼ରେ ଜମି ରହୁଥିବା ବର୍ଷାପାଣି, ନର୍ଦ୍ଦମାର ଦୂଷିତ ଜଳର ସ୍ଥାୟୀ ନିଷ୍କାସନ ବ୍ୟବସ୍ଥା ପାଇଁ ବାସିନ୍ଦା ପରେଶ ଚନ୍ଦ୍ର ମୁଖାର୍ଜୀ, ଇ. ସିମାଦ୍ରୀ,ବ୍ୟବସାୟୀ ପ୍ରଭାକର ସାହୁ,ୟୁ.ଗୌରାଙ୍ଗ,ଏମ.ପଞ୍ଚାନନ,ଏ. ବଦ୍ରି ପାତ୍ର,ଦୀପ୍ତିକାନ୍ତ ମହାଙ୍କୁଡ଼,ସନ୍ତୋଷ ଗୌଡ଼ ପ୍ରମୁଖ ଦାବୀ କରିଛନ୍ତି।ଗତ ମେ ୭ ତାରିଖରେ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ମନୋଜ ମହାରଣା, ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,କାଉନସିଲର ଦୀପକ ମିଶ୍ର ଘଟଣାସ୍ଥଳ ରେ ପହଞ୍ଚି ପ୍ରଭାବିତ ବାସିନ୍ଦା ଙ୍କ ସହ ସବିଶେଷ ଆଲୋଚନା କରିବା ସହ ସ୍ଥିତି ର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ନହେବା କାରଣରୁ ଗତ ଜୁନ ୯ ତାରିଖରେ ୧୦ ନଂ ୱାର୍ଡ କାଉନସିଲର ଦୀପକ ମିଶ୍ର ଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ।ପୋଲିସ ପ୍ରଶାସନିକ ଅଧିକାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଦୂଷିତ ଜଳ ନିଷ୍କାସନ କରାଯିବ ଏବଂ ପରେ ସ୍ଥାୟୀ ପଦକ୍ଷେପ ସ୍ୱରୂପ ବିଶେଷଜ୍ଞ ଟିମ୍ ଜରିଆରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଏବଂ ସନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାକାର ସ୍ଥିତିକୁ ନିରୀକ୍ଷଣ କରି ଦୂଷିତ ଜଳ କିପରି ନିଷ୍କାସିତ ହୋଇପାରିବ ସେ ନେଇ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଫେରିଥିଲେ। ପ୍ରଶାସନିକ ଅଧିକାରୀ ବୃନ୍ଦ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ ନକରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।


