ଆମେରିକାରେ ୧୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓ୍ୱାଶିଂଟନ୍: କୋରୋନା ଆକ୍ରାନ୍ତ ଦେଶ ମଧ୍ୟରେ ସବୁଠାରୁ ଦୁଃସ୍ଥିତିରେ ରହିଛି ଆମେରିକା। ଏହି ଦେଶରେ ଗୁରୁବାର ରାତି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷକୁ ଟପିଯାଇଛି। ଦିନକ ଭିତରେ ଦେଶରେ ୯ ହଜାର ୪୦୯ ଜଣ ଆକ୍ରାନ୍ତ ହେବା ଫଳରେ ମୋଟ ସଂଖ୍ୟା ୧୬ ଲକ୍ଷ ୨ ହଜାର ୧୩୨ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩୯୬ ଜଣ ପ୍ରାଣ ହରାଇଛନ୍ତି। ଯାହା ଫଳରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୯୫ ହଜାର ୩୩୨ରେ ପହଞ୍ଚିଯାଇଛି। ଗତ ଦିନକ ଭିତରେ ବିଶ୍ୱରେ ୨ ହଜାର ୨୯୩ ଜଣଙ୍କର ମୃତ୍ୟୁ ଓ ୫୪ ହଜାର ୯୨୨ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ଫଳସ୍ବରୂପ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୩୮ ହଜାର ୩୩୩ ହୋଇଥିବା ବେଳେ ୩ ଲକ୍ଷ ୩୧ ହଜାର ୫୩୨ ଜଣଙ୍କର ପ୍ରାଣ ଯାଇସାରିଲାଣି। ଏହାଛଡ଼ା ୨ ଲକ୍ଷ ୪୯ ହଜାର ୯୧୨ ଜଣ ସୁସ୍ଥତା ଲାଭ କରିସାରିଛନ୍ତି। ଗତ ୨୪ ଘଣ୍ଟାରେ ଯୁକ୍ତରାଜ୍ୟରେ ଦ୍ୱିତୀୟ ସର୍ବାଧିକ ୩୩୮ ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ଦେଶରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୩୬ ହଜାର ୪୨ ହୋଇଥିବା ବେଳେ ଦିନକ ଭିତରେ ୨ ହଜାର ୬୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ୯୦୮ରେ ପହଞ୍ଚିଯାଇଛି। ସେହିପରି ଦିନକ ଭିତରେ ବ୍ରାଜିଲ୍ରେ ୨୫୪ ଜଣଙ୍କର ପ୍ରାଣ ଯିବାରୁ ଦେଶରେ ମୋଟ ସଂଖ୍ୟା ୧୯ ହଜାର ୧୪୮ ହୋଇଛି। ଏହାଛଡ଼ା ଦିନକ ଭିତରେ ୨ ହଜାର ୬୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ସଂଖ୍ୟା ୨ ଲକ୍ଷ ୯୬ ହଜାର ୩୩ରେ ପହଞ୍ଚିଛି। ସ୍ପେନରେ ୨୭ ହଜାର ୮୮୮ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୨ ଲକ୍ଷ ୭୯ ହଜାର ୫୨୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ଏହାଛଡ଼ା ଇଟାଲୀରେ ୩୨ ହଜାର ୪୮୬, ଫ୍ରାନ୍ସରେ ୨୮ ହଜାର ୧୩୨, ଜର୍ମାନୀରେ ୮ ହଜାର ୨୭୩, ତୁର୍କୀରେ ୪ ହଜାର ୨୪୯, ଇରାନ୍ରେ ୭ ହଜାର ୨୪୯ ଓ ପେରୁରେ ୩ ହଜାର ୨୪ ଜଣଙ୍କର ପ୍ରାଣ ଯାଇସାରିଛି। ସେହିପରି ଇଟାଲୀରେ ୨ ଲକ୍ଷ ୨୮ ହଜାର ୬, ଫ୍ରାନ୍ସରେ ୧ ଲକ୍ଷ ୮୧ ହଜାର ୫୭୫, ଜର୍ମାନୀରେ ୧ ଲକ୍ଷ ୭୮ ହଜାର ୮୬୪, ତୁର୍କୀରେ ୧ ଲକ୍ଷ ୫୩ ହଜାର ୫୪୮, ଇରାନ୍ରେ ୧ ଲକ୍ଷ ୨୯ ହଜାର ୩୪୧ ଓ ପେରୁରେ ୧ ଲକ୍ଷ ୪ ହଜାର ୨୦ ଜଣ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଭାରତ ଆକ୍ରାନ୍ତଙ୍କ ସୂଚୀରେ ବିଶ୍ୱରେ ଏକାଦଶ ସ୍ଥାନରେ ରହିଛି।


